ନିବେଶ ପାଇଁ ସୁଯୋଗ ଦେଲେ ମୋହନ, ଆଗେଇ ଆସିଲା ହିଣ୍ଡାଲ୍ କୋ
ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ପ୍ରସ୍ତୁତି କ୍ରମେ ମୁମ୍ବାଇରେ ନିବେଶକଙ୍କ ସହ ରୋଡ୍ ସୋ କରିଛନ୍ତି ଓଡ଼ିଶା ସରକାର। ଆସନ୍ତା ଜାନୁଆରୀରେ ହେବ ‘ଉତ୍କର୍ଷ ଓଡ଼ିଶାମେକ୍-ଇନ୍ ଓଡ଼ିଶା’ କନକ୍ଲେଭ ୨୦୨୫। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ନୂଆଦିଲ୍ଲୀ ପରେ ମୁମ୍ୱାଇରେ କରୁଛନ୍ତି ଇନଭେଷ୍ଟର୍ସ ମିଟ୍ ରୋଡ୍ ସୋ। ଓଡ଼ିଶାରେ ନିବେଶ ପାଇଁ ରିଲାଏନ୍ସ, ଟାଟା, JSW, ବେଦାନ୍ତ, ବିର୍ଲା ଗ୍ରୁପ୍, ପାର୍ଲେ ଆଗ୍ରୋ ପରି ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥାର ମୁଖିଆ ଓ ସେମାନଙ୍କ ପ୍ରତିନିଧିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଏବଂ ବ୍ୟବସାୟ ଅନୁକୂଳ ପରିବେଶ ଯୋଗୁଁ ନିବେଶ ପାଇଁ ପ୍ରଚୁର ସୁଯୋଗ ରହିଛି । ଦେଶର ପୂର୍ବ ଉପକୂଳରେ ଓଡ଼ିଶାର ରଣନୈତିକ ଅବସ୍ଥିତି, ସୁଦୃଢ଼ ଭିତ୍ତିଭୂମି ଏବଂ ବିଶ୍ୱ ବଜାରର ଉପଲବ୍ଧତା ଏହାକୁ ଶିଳ୍ପସମୃଦ୍ଧ ରାଜ୍ୟ ଭାବରେ ପ୍ରତିପାଦନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଶିଳ୍ପ ଉପଯୋଗୀ ଇକୋ ସିଷ୍ଟମ୍ର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ହିଣ୍ଡାଲ୍ କୋ ଓଡ଼ିଶାରେ ଆଉ ୩୪ ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଶାୟୀ ଥିବା ଜଣାଇଛି। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଜଣାଇଲେ ବିର୍ଲା ଗ୍ରୁପ ଅଧ୍ୟକ୍ଷ ଓ ହିଣ୍ଡାଲ୍କୋ ପରିଚାଳନା ନିର୍ଦ୍ଦେଶକ। ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଛି ଏହି କଂପାନୀ। ରାୟଗଡ଼ା, ସମ୍ବଲପୁର, ହୀରାକୁଦରେ ଏକାଧିକ ପ୍ଲାଣ୍ଟ ପାଇଁ ଆଲୋଚନା ହୋଇଛି।
Powered by Froala Editor