ବାଇକ୍ରେ ବସିଥିଲେ ଯୁବକ, ଠେଙ୍ଗାରେ ପିଟି ପିଟି ମାରିଦେଲେ
କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ପଣ୍ଡୁଆ ଗ୍ରାମର ରେହମତ୍ ଖାଁ (୨୫)। ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ହତ୍ୟାକରିଥିବା ଅଭିଯୁକ୍ତ ଉକ୍ତ ଗ୍ରାମର ମୁନା ଜେନା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ଏଥିସହ ମୃତଦେହ ରାସ୍ତାଉପରେ ରଖି ଟାୟାର ଜାଳି ଅବରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ରେହମତ୍ ପଣ୍ଡୁଆ ଛକରେ ଥିବା ଦୋକାନକୁ ପାନ ପାଇଁ ଆସିଥିଲେ। ପାନ ଭାଙ୍ଗି ସାରି ନିଜ ଗାଡ଼ି ଉପରେ ରେହମତ୍ ବାଇକ୍ ଉପରେ ବସିଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ମୁନା ଏକ ଠେଙ୍ଗାରେ ରେହମତ୍ଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରେହମତ୍ଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହା ଜଣାପଡ଼ିବା ପରେ ରେହମତ୍ଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିବା ଯୁବକଙ୍କ ଘରରେ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଆସିଥିବା ଅଗ୍ନିଶମ ଗାଡ଼ିକୁ ଛାଡ଼ିନାହାନ୍ତି।
Powered by Froala Editor