ମରାଠୀ ଅଭିନେତାଙ୍କ ବିୟୋଗ, ଦୀର୍ଘ ଦିନ କର୍କଟ ସହ ଲଢିଥିଲେ

ମରାଠୀ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଅତୁଲଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଅତୁଲ ପରଚୁରେଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମରାଠୀ ଫିଲ୍ମ ଓ ଥିଏଟରରେ ସେ ଲୋକପ୍ରିୟ ଥିବା ବେଳେ ବଲିଉଡ ଫିଲ୍ମର ଲୋକପ୍ରିୟ ଚେହେରା ମଧ୍ୟ ଥିଲେ । ସେ ଶାହାରୁଖ ଖାନଙ୍କ 'ବିଲୁ', ସଲମାନ୍ ଖାନ୍ ଙ୍କ 'ପାର୍ଟନର' ଏବଂ ଅଜୟ ଦେବଗନଙ୍କ 'ଅଲ୍ ଦି ବେଷ୍ଟ' ଭଳି ଫିଲ୍ମରେ ଅଭିନୟ କରିଥିଲେ।
ଜଣେ ଅଭିନେତା-କମେଡ଼ି ଭାବେ ଅତୁଲ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ଅତୁଲଙ୍କ ଅଚାନକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।
ଅତୁଲ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢ଼େଇ କରିଆସୁଥିଲେ । ତେବେ କ୍ୟାନ୍ସରରୁ ମୁକ୍ତ ହେବା ପରେ ଅତୁଲ ପୁନର୍ବାର ବଡ଼ ଉତ୍ସାହ ସହିତ ଫିଲ୍ମ ଜଗତକୁ ଫେରିଥିଲେ । ସେ ଅନେକ ମରାଠୀ ନାଟକରେ ଅଭିନୟ କରି ନିଜର ବଳିଷ୍ଠ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଅତୁଲଙ୍କ ଅଚାନକ ବିୟୋଗ ପରେ ମରାଠୀ ଫିଲ୍ମ ଜଗତ ସମେତ ହିନ୍ଦି ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଏକ ଗଭୀର ଝଟକା ।
Powered by Froala Editor