କେବଳ ରାଜନୀତି ନୁହେଁ,ଓଡ଼ିଆଙ୍କ ବିକାଶ ଆମର ଦାୟିତ୍ୱ: ଧର୍ମେନ୍ଦ୍ର
ଭୁବନେଶ୍ବର: କେବଳ ରାଜନୀତି କରିବା ନୁହେଁ ବରଂ ରାଜନୈତିକ ଓ ସାମାଜିକ କାର୍ୟ୍ୟକର୍ତ୍ତା ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ କରିବା ଆମର ଦାୟିତ୍ୱ । ଆମର ମହାପ୍ରଭୁ ବଡ, ଆମର ବିଚାର ବି ବଡ଼ ହେବା ଦରକାର । ଏଭଳି କଳ୍ପନା କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସୋମବାର ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ବୈଠକରେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର କାର୍ୟ୍ୟକର୍ତ୍ତାମାନେ ଜଣେ ରାଜନୈତିକ ଓ ସାମାଜିକ କର୍ମୀ ଭାବରେ କେବଳ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବା ପାଇଁ, ରାଜ୍ୟକୁ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ଏବଂ ରୋଜଗାର ବଢ଼ାଇବା ପାଇଁ ତଥା ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରିବା ଦରକାର । ଏଥିପାଇଁ କାର୍ୟ୍ୟକର୍ତ୍ତାମାନେ ଆଞ୍ଚଳିକ ସ୍ତରରେ ଲକ୍ଷାଧିକ ଲୋକଙ୍କୁ ଯୋଡ଼ି ଦଳୀୟ ସଂଗଠନକୁ ମଜବୁତ୍ କରିବାର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟି ଦେଶରେ ସବୁଠୁ ପ୍ରଭାବଶାଳୀ ଜନଆନ୍ଦୋଳନର ରୂପ ନେଇସାରିଛି । ଓଡ଼ିଶାରେ ମଧ୍ୟ ବିଗତ ବର୍ଷ ଧରି ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଅନୁମେୟ କଲେ ବିଜେପି ପ୍ରତି ଲୋକମାନଙ୍କ ବିଶ୍ୱାସ ବଢ଼ିଛି । ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳର ଲୋକପ୍ରିୟତା ବଢ଼ିଛି । ଆଗକୁ ମଧ୍ୟ ଆମକୁ ସ୍ଥାନୀୟ ନିର୍ବାଚନ ଏବଂ ସଂଗଠନ ଉପରେ ଯୋରଦେବାକୁ ପଡ଼ିବ । ଆଜିର ବୈଠକରେ ପ୍ରସ୍ତୁତ ହୋଇଥିବା ଆଗାମୀ ଦିନର ରଣନୀତି ଦଳ ପାଇଁ ବେଞ୍ଚମାର୍କ ଏବଂ ନିର୍ଣ୍ଣାୟକ ହେବ । କାର୍ୟ୍ୟକର୍ତ୍ତାମାନେ ସମସ୍ତେ ନିଜେ ନିଜେ ଆତ୍ମସମୀକ୍ଷା କରିବା ଦରକାର । କେବଳ କ୍ଷମତାର ଦାୟିତ୍ୱ ଏବଂ ପଦପଦବୀରେ ବସିବା ନୁହେଁ ବରଂ ବଡ ଲକ୍ଷ୍ୟ ନେଇ ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହେବା ଦରକାର । ଏଥିପାଇଁ ସମସ୍ତେ ଗୁଣ୍ଡୁଚି ମୂଷା ଭଳି ଧୂଳି ଝାଡ଼ିବା କାମରେ ଲାଗିବା ଦରାକାର । କେବଳ ବିଧାୟକ, ସାଂସଦ ହେବା ପାଇଁ ନୁହେଁ, ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ପୃଥିବୀର ଏକ ଆକର୍ଷଣୀୟ ଅଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ଆମର ଦାୟିତ୍ୱ ଅଛି । ଲୋକଙ୍କ ସମସ୍ୟା ଓ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମୂଳତଃ ଓଡ଼ିଶାର ପରବର୍ତ୍ତିତ ରାଜନୀତିରେ ଭାରତୀୟ ଜନତା ପାର୍ଟି ଏକବିଂଶ ଶତାବ୍ଦୀରେ ଏକ ସଶକ୍ତ, ରାଜନୈତିକ ଏବଂ ସାମାଜିକ କାର୍ୟ୍ୟକର୍ତ୍ତା ଭାବେ ସାଢେ ଚାରି କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ କରିବାକୁ ଶ୍ରୀ ପ୍ରଧାନ କାର୍ୟ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।
Powered by Froala Editor