ଜୁନିୟରଙ୍କୁ ସମର୍ଥନ : ଇସ୍ତଫା ଦେଲେ ଆର୍ଜି କର ହସ୍ପିଟାଲର ୫୦ ସିନିୟର ଡାକ୍ତର
ଜୁନିୟର ଡାକ୍ତରଙ୍କୁ ସମର୍ଥନ କରି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲର ୫୦ ଜଣ ସିନିୟର ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଡାକ୍ତରମାନେ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କଲା ବେଳେ ବିଦ୍ୟାର୍ଥୀମାନେ ତାଳିମାରି ସେମାନଙ୍କୁ ସମର୍ଥନ ଜଣାଉଥିବାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।
ଗତ ଶନିବାରଠାରୁ ଜୁନିୟର ଡାକ୍ତରମାନେ ବିଭିନ୍ନ ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ସେମାନେ ସେମାନଙ୍କ ସହକର୍ମୀଙ୍କୁ ନ୍ୟାୟ ପ୍ରଦାନ, କ୍ୟାମ୍ପସରେ ଗଣତନ୍ତ୍ର ସ୍ଥାପନ ଓ ରୋଗୀ ଅନୁକୂଳ ବାତାବରଣ ବ୍ୟବସ୍ଥା ତିଆରି କରିବା ଦାବିରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆହୁରି କିଛି ଦାବି ରହିଛି। ରାଜ୍ୟର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ଏକ ସେଣ୍ଟ୍ରାଲାଇଜ୍ଡ ରେଫରାଲ ସିଷ୍ଟମ ବିକଶିତ କରିବାକୁ ସେମାନେ ଦାବି କରିଛନ୍ତି।
ସେହିପରି କେତେ ବେଡ୍ ଖାଲି ପଡୁଛି, ତାହା ନିରୀକ୍ଷଣ କରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜରେ ସିସିଟିଭି ଲାଗିଛି ନା ନାହିଁ, ୱାଶ୍ରୁମ୍ ଅଛି ନା ନାହିଁ ଓ ଏହିଭଳି ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଅଛି ନା ନାହିଁ ଓ ଥିଲେ କାର୍ଯ୍ୟକ୍ଷମ ହେଉଛି ନା ନାହିଁ, ତାହା ସୁନିଶ୍ଚିତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ଜୁନିୟର ଡାକ୍ତରମାନେ ଦାବି କରିଛନ୍ତି।
ଏଥିସହିତ ଡାକ୍ତରଖାନାରେ ପୋଲିସର ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସ୍ କର୍ମଚାରୀ ନିଯୁକ୍ତି ଏବଂ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଖାଲି ପଦବୀ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରୁଛନ୍ତି।
Powered by Froala Editor