ନଭେମ୍ବର ୧୫ରୁ ବର୍ଷତମାମ ପାଳନ ହେବ ବିର୍ସା ମୁଣ୍ଡା ଜୟନ୍ତୀ
ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ବର୍ଷତମାମ ପାଳନ କରିବେ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ ।
ସୂଚନା ଅନୁସାରେ, କେନ୍ଦ୍ରୀୟସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଛି । ତେବେ ରାଜ୍ୟ ସରକାର ଚଳିତବର୍ଷ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସମାରୋହକୁ ୨୦୨୪ ନଭେମ୍ବର ୧୫ରୁ ୨୦୨୫ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ପାଳନ କରିବେ । ଆଦିବାସୀ କଳା ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ସେମାନଙ୍କର ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ।
ନିଷ୍ପତ୍ତି ଅନୁଯାୟୀ ୨୦୨୪ ନଭେମ୍ବର ୧୫ରେ ବର୍ଷ ବ୍ୟାପୀ ଏହି ସମାରୋହର ଉଦ୍ଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯିବ । ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ ।
Powered by Froala Editor