ମେଣ୍ଟରେ ପିଡିପି ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି: ଫାରୁକ୍ ଅବଦୁଲ୍ଲା
ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ସମ୍ଭାବ୍ୟ ଫଳାଫଳ ନେଇ ଏକ୍ଜିଟ ପୋଲ ପ୍ରକାଶ ପାଇବା ପରେ କଂଗ୍ରେସ ସହ ମିଶି ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏନ୍ସି (ନ୍ୟାସନାଲ କନ୍ଫରେନ୍ସ) ମୁଖ୍ୟ ଫାରୁକ୍ ଅବଦୁଲ୍ଲା । ସେ କହିଛନ୍ତି ତାଙ୍କ ମେଣ୍ଟରେ ପିଡିପି ମଧ୍ୟ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି । ପିଡିପି ନେତା ଜୁବୈଦ ୟୁସୁଫ ମିର କହିଥିଲେ କି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ହେଲେ ତାଙ୍କ ଦଳ କଂଗ୍ରେସ ଓ ଏନ୍ସି ମେଣ୍ଟକୁ ସମର୍ଥନ କରିବ । ଏହା ଉପରେ ରବିବାର ପ୍ରତିକ୍ରିୟା ପ୍ରକାଶ କରି ଫାରୁକ୍ କହିଛନ୍ତି ମିରଙ୍କ ବୟାନକୁ ସେ ସ୍ୱାଗତ କରୁଛନ୍ତି । ମିରଙ୍କ ଚିନ୍ତାଧାରା ଓ ବିଚାର ମଧ୍ୟ ଭଲ । ସେମାନେ ସମସ୍ତେ ଗୋଟିଏ ପଥର ଯାତ୍ରୀ । ଘୃଣାର ଅନ୍ତ ଘଟାଇ ଜମ୍ମୁ-କାଶ୍ମୀର ଓ ଏଠାକାର ଲୋକଙ୍କୁ ଏକାଠି କରିବାକୁ ହେବ । ଶନିବାର ୫ଟି ସଂସ୍ଥା ପ୍ରକାଶ କରିଥିବା ଏକଜିଟ୍ ପୋଲ ଫଳାଫଳ ଅନୁସାରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ-ଏନ୍ସି ମେଣ୍ଟ ସରକାର ଗଠନ କରିବ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୦ ବିଧାନସଭା ଆସନରୁ ମେଣ୍ଟକୁ ୪୦-୫୦ ଆସନ ମିଳିବ । ବିଜେପିକୁ ୨୫-୩୦ ଆସନ ମିଳିବାକୁ ଥିଲା ବେଳେ ପିଡିପିକୁ ୮-୧୨ ଆସନ ମିଳିବ । ଅନ୍ୟପକ୍ଷରେ ଆଉ ୫ଟି ସଂସ୍ଥାର ଆକଳନ ଅନୁସାରେ ଏଠାରେ ଝୁଲା ସରକାର ହେବ । ଅର୍ଥାତ କଂଗ୍ରେସ-ଏନ୍ସି ମେଣ୍ଟ ପାଇଁ କିଛି ସହଯୋଗୀଙ୍କ ଆବଶ୍ୟକ ପଡିବ । ଏହି ପରିପ୍ରେକ୍ଷୀରେ ପିଡିପି ସମର୍ଥନ କରିବ ବୋଲି ମିର ବୟାନ ଦେଇଥିଲେ ।
Powered by Froala Editor