ଏଣିକି ସରୋଗେସୀ ମା’ ପାଇବେ ୧୮୦ଦିନ ଛୁୂଟି
ଏଣିକି ସରୋଗେସୀ ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ ୧୮୦ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ମାତୃତ୍ୱ ଓ ପିତୃତ୍ୱ ଛୁୂଟି ମଳିବ । ରାଜ୍ୟ ଅର୍ଥ ବିଭାଗ ଏସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି ।
ଉଧାର ମାତୃତ୍ୱ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା। ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି।
ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ୍ ଜଣେ ଜୈବିକ ମାତା ଯିଏ ଅନ୍ୟଜଣେ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
Powered by Froala Editor