ରାକ୍ଷାସ ପୁଅ : କାଠ ଦଣ୍ଡାରେ ମା’କୁ ମାରିଲା, ଛୁରୀରେ ଅସ୍ତ୍ରୋପଚାର ଦାଗକୁ କାଟିଲା
କଟକ ମହାନଦୀବିହାରରେ ବୃଦ୍ଧା ମାଆଙ୍କୁ ଦୁଇ ପୁଅ ହତ୍ୟା କରିବା ଘଟଣାର ସିନ୍ ରିକ୍ରିଏସନ୍ କରିଛି ପୁଲିସ । ଏହି ସମୟରେ ଦୁଇ ପୁଅଙ୍କ ବିକୃତ ଚେହେରା ସାମନାକୁ ଆସିଛି । ଅଭିଯୁକ୍ତ ସାନପୁଅ ଅନୁରାଗ ମହାନ୍ତି ଘଟଣା ଦିନ ସକାଳେ କ’ଣ ଘଟିଥିଲା ଗୋଟି ଗୋଟି କରି କହିଛି । ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଜିନିଷକୁ ମଧ୍ୟ ପୁଲିସକୁ ଦେଖାଇଛି ।
ଅନୁରାଗକୁ ଚାଉଳିଆଗଞ୍ଜ ପୁଲିସ ମହାନଦୀବିହାରସ୍ଥିତ ପ୍ଲଟ୍ ନମ୍ବର ୭୧୪ ଅର୍ଥାତ୍ ହତ୍ୟାକାଣ୍ଡ ସ୍ଥଳକୁ ନେଇଯାଇଥିଲେ । ସେଠାରେ ଅନୁରାଗ ହତ୍ୟାକାଣ୍ଡ ସମୟର ବୀଭତ୍ସ ଦୃଶ୍ୟ ବୟାନ କରିଥିଲା । ଘଟଣା ଦିନ ସକାଳେ ବଡ଼ ଭାଇ ଅଂଶୁମାନ ହଠାତ୍ ମା’ ସହିତ ଯୁକ୍ତିତର୍କ କରିଥିଲା । ମାଆ ଅନିମା ଏହି ସମୟରେ ଖଟରେ ବସିଥିଲେ । ଯୁକ୍ତିତର୍କ ବଢ଼ିବାରୁ ଭାଇ ରାଗିଯାଇ ହଠାତ୍ ଖଟରେ ଲାଗିଥିବା ଏକ ଦଣ୍ଡାରେ ମାର ମୁଣ୍ଡକୁ ପିଟି ଦେଇଥିଲା । କାଠଦଣ୍ଡା ମାଡ଼ରେ ସେ ପଡ଼ିଯିବାରୁ ଅଂଶୁମାନ ପୁଣି ମଶାରି ବାଡ଼ରେ ମାଆଙ୍କ ମୁଣ୍ଡକୁ ଛେଚି ଚାଲିଥିଲା ।
ସେତିକିରେ ବି ତାର ରାଗ ଥମିନଥିଲା । ରୋଷେଇ ଘରକୁ ତାୱା ଆଣି ମା’ ମୁଣ୍ଡକୁ ପିଟିଥିଲା । ପୁଣି ଘରୁ ଏକ ବେଣ୍ଟ ଭଙ୍ଗା ଛୁରି ଆଣି ମାଆର ପେଟକୁ ଭୁସି ଦେଇଥିଲା । ପୁଅ ଏତେ କ୍ରୁର ହୋଇଯାଇଥିଲା ଯେ, ମାଆଙ୍କ ପେଟରେ ଥିବା ଏକ ଅସ୍ତ୍ରୋପଚାର ଦାଗକୁ କାଟି ଦେଇଥିଲା । ଏତେସବୁ କରିବା ବେଳକୁ ଅନିମାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଅନୁରାଗ ପୁଲିସ ଆଗରେ କହିଛି ।
ପୁଲିସ କହିବା ଅନୁସାରେ ବଡ଼ ଭାଇ ମା’ଙ୍କୁ ନିର୍ମମ ହତ୍ୟା କରୁଥିବା ବେଳେ ଅନୁରାଗ ଚୁପ୍ଚାପ୍ ଦେଖୁଥାଏ । କୌଣସି ପ୍ରକାର ପ୍ରତିବାଦ କରୁନଥାଏ । ଏମିତିକି ଗ୍ୟାରେଜ୍କୁ ମୃତଦେହ ନେଇଯିବାରେ ଅନୁରାଗ ଭାଇକୁ ସହଯୋଗ କରିଥିଲା ।
Powered by Froala Editor