ଏଥର ଡିଜେ ନୁହେଁ, ଗଣେଶ ଭସାଣିବେଳେ ବାଜିବ ପାରମ୍ପରିକ ବାଦ୍ୟ
ଡିଜେ ନୁହେଁ, ଏଥର ଗଣେଶ ପୂଜା ଓ ଭସାଣିବେଳେ ରାଜଧାନୀରେ ବାଜିବ ପାରମ୍ପରିକ ବାଦ୍ୟ । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ସେପ୍ଟେମ୍ୱର ୭ ତାରିଖରେ ଗଣେଶ ପୂଜା । ଏ ନେଇ ଏକ କୋ ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ଅନୁଷ୍ଠିତ ହୋଇଛି ।
ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତିକୁ ବିକୃତ କରନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।
ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ପୂଜାକୁ କିଭଳି ନିଶାମୁକ୍ତ କରାଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିସିପି ।
କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ ରେ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣ ପାଇଁ ସ୍ଥିର କରାଯାଇଛି । ଆସନ୍ତା ୨୨ ତାରିଖରୁ ଡିସିପି ଅଫିସ ଲାଇସେନ୍ସ ସେଲରୁ ଅନୁମତି ପାଇଁ ଫର୍ମ ଗ୍ରହଣ କରିବେ ପୂଜା କମିଟି । ପୋଲିସର ଏହି ନିଷ୍ପତ୍ତି ଉପରେ ରାଜଧାନୀର ସମସ୍ତ ପୂଜା କମିଟି ସହମତ ପ୍ରକାଶ କରିଥିବା ଜଣାପଡିଛି।
Powered by Froala Editor