ଝାଡ଼ାବାନ୍ତିରେ ୮ ମୃତ
ଆସିକା: ଗଞ୍ଜାମ ଜିଲା ଆସିକା ବ୍ଲକ ବାଲିସିରା ପଞ୍ଚାୟତ ଅନ୍ତର୍ଗତ କନ୍ଧ ସୁନ୍ଦରାପଲ୍ଲି ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଗାଁର ରାଧା ମଲ୍ଲିକ , ଗୋଲାପ ମଲ୍ଲିକ , ଅପସରୀ ମଲ୍ଲିକ , ଗୋପାଳ ମଲ୍ଲିକ ଏବଂ ସଙ୍ଗୀତ ମଲ୍ଲିକଙ୍କର ମୃତ୍ୟୁ ହୋଇଯାଇଛି। ଆସିକା ଡାକ୍ତରଖାନାରେ ଗୋଟିଏ ଦିନରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ସୋରଡ଼ା ନିକଟ ଗୋଛାବାଡ଼ିରେ ସଙ୍ଗୀତା ମଲ୍ଲିକ ପ୍ରାଣ ହରାଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ୪ଜଣ ଚିକିତ୍ସିତ ହେଉଛନ୍ତି। ଗାଁରେ ୪୦ ପରିବାର ରହୁଥିବା ବେଳେ ୩ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର ଗୀତାଞ୍ଜଳି ମଲିକଙ୍କ ଶାଶୁ ଓ ନଣନ୍ଦଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ହୋଇଛି। ଗ୍ରାମରେ ଗତ ଏକ ମାସ ହେଲା ଓଭର ହେଡ ପାଣି ଟାଙ୍କି ଖରାପ ହୋଇଯାଇଥିବାରୁ ଲୋକେ ଅନ୍ୟ ସ୍ଥାନରୁ ପିଇବା ପାଣି ଆଣି ବ୍ୟବହାର କରୁଥିଲେ। ଏଥିଯୋଗୁ ଝାଡାବାନ୍ତି ବ୍ୟାପୁଥିବାରୁ ଲୋକେ ଭୟ ଓ ଆତଙ୍କରେ ରହିଛନ୍ତି। ଗାଁରେ ଥିବା ୩ଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ରହିଛି। ସଚଳ ନଳକୂପ ଆବର୍ଜନାପୂର୍ଣ୍ଣ ଜାଗାରେ ରହିଛି। ଗାଁର ଦୁଇ ମୁଣ୍ଡରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଦୁଇ ହଜାର ଲିଟର ବିଶିଷ୍ଟ ଦୁଇଟି ସୌର ଚାଳିତ ଟ୍ୟାଙ୍କ ଅଚଳ ହୋଇପଡିଛି।
Powered by Froala Editor