ଚମତ୍କାର ପ୍ରଦର୍ଶନ ; ସେମି ଫାଇନାଲରେ ରେସଲର ଭିନେଶ
ପ୍ୟାରିସ ଅଲିମ୍ପିକ୍ସରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟ ଚମତ୍କାର ପ୍ରଦର୍ଶନ କରିଛନ୍ତି। କ୍ବାର୍ଟରଫାଇନାଲରେ ସେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମ୍ୟାଚ୍ ଆରମ୍ଭରୁ ହିଁ ଭିନେଶ ଓକସାନାଙ୍କୁ ପଛରେ ପକାଇ ଦେଇଥିଲେ। ପ୍ରାରମ୍ଭରେ ଭିନେଶ ୪ ପଏଣ୍ଟ ହାସଲ କରିଥିଲେ। ଏହାପରେ ସେ ନିଜର ପଏଣ୍ଟ ନେବା ଜାରି ରଖିଥିଲେ। ଶେଷ ବେଳକୁ ଲିଓ୍ବାଚ୍ ଉଦ୍ୟମ କରିଥିଲେ ବି ଭିନେଶଙ୍କୁ ଟପିପାରିନଥିଲେ ।
ଏହା ପୂର୍ବରୁ ସେ ଜାପାନର ଯୁବି ସୁସାକିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ । ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ ସେ ୫୦ କେଜି ବର୍ଗରେ ୩-୨ ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ୟୁଇ ସୁସାକି ପ୍ରଥମେ ଅଗ୍ରଣୀ ହୋଇଥିଲେ, କିନ୍ତୁ ଶେଷ ୧୫ ସେକେଣ୍ଡରେ ଭିନେଶ ବାଜି ପଲଟାଇ ଦେଇଥିଲେ।
ଏହା ପୂର୍ବରୁ ସୁସାକି ତାଙ୍କର ଲମ୍ବା ଅନ୍ତର୍ଜାତୀୟ ଖେଳ ଜୀବନରେ ଗୋଟିଏ ହେଲେ ମ୍ୟାଚ୍ ହାରି ନ ଥିଲେ। କୁହାଯାଉଥିଲା କି ପ୍ରଥମ ରାଉଣ୍ଡ ପାର କରିବା ଭିନେଶଙ୍କ ପାଇଁ କଷ୍ଟକର ହେବ, କାରଣ ତାଙ୍କର ଏହି ମୁକାବିଲା ଏପରି ଖେଳାଳିଙ୍କ ସହିତ ଥିଲା ଯିଏ ଟୋକିଓ ଅଲମ୍ପିକ୍ସରେ ବିନା କୌଣସି ପଏଣ୍ଟ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି।
Powered by Froala Editor