୪ କ୍ୱିଣ୍ଟାଲ୍ ଗଞ୍ଜେଇ ସହ ୭ ଗିରଫ
କନ୍ଧମାଳରୁ ଜବତ ହୋଇଛି କୋଟି କୋଟି ଟଙ୍କାର ଗଞ୍ଜେଇ । ପୁଲିସ ହାତରେ ଧରା ପଡିଛନ୍ତି ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗ୍ର ୭ ଜଣ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଡ଼ଛପାପାଲିର ସ୍ୱାଧୀନ ଖଟୁଆ, ଟିକ୍ରିପଡ଼ାର ଅରୁଣ ରଣା, ବଡ଼ଛପା ପାଲିର ସୁବୁଦ୍ଧି ସାହୁ, ରୁଣ୍ଡି ମହୁଲିର ସଦାସନ ବାରିକ, ସାନ ଛପାପାଲି ରେଙ୍ଗାଲିର ରିତୁ ବାରିକ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କମଲପୁର ତିଥିପାଲି ଗାଁର ଆଲୋକ ପାତ୍ର ଓ ଗୋଚ୍ଛାପଡ଼ା ଥାନା କୁମେଲ ସିଂ ଗାଁର ସମୀର ସାହୁ ।
ପୁଲିସ କହିବାନୁସାରେ, ଅଭିଯୁକ୍ତଙ୍କ ଠାରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ସହିତ ଏକ ଦାମୀ କାର୍, ୭ଟି ବାଇକ୍୍, ୬ଟି ମାଉଜର, ୪୬ ହଜାର ଟଙ୍କା, ୧୦ଟି ମୋବାଇଲ୍, ଗୋଟିଏ ହକି ଷ୍ଟିକ୍, ୨ଟି ବେସ୍ବଲ୍ ଷ୍ଟିକ୍ ଜବତ ହୋଇଛି । ଏମାନେ ଦୀର୍ଘ ଦିନ ଧରି ଗଞ୍ଜେଇ ବେପାରର ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ ।
ସୋମବାର ଗୋଚ୍ଛାପଡ଼ାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ପାଇଥିଲା । ଚାଲାଣକାରୀଙ୍କୁ ଧରିବା ପାଇଁ ପୁଲିସ ବାଲନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ-କଣ୍ଟାମାଳ ରାସ୍ତାର ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲା । ଚାଲାଣକାରୀ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବାଇକ୍ରେ କଣ୍ଟାମାଳ ଦେଇ ବାହାରକୁ ଚାଲାଣ ପାଇଁ ନେଉଥିଲେ । ପୁଲିସ ସୁଟାଣି ଘାଟିର ବୁଲାଣି ରାସ୍ତାରେ ବାଇକ୍ ଅଟକାଇ ଥିଲେ । ଚାଲାଣକାରୀ ହଡବଡେଇ ଯାଇ ତୁରନ୍ତ ବାଇକ୍ ଓ ଗଞ୍ଜେଇ ଛାଡ଼ି ଚମ୍ପଟ୍ ମାରିଥିବା ବେଳେ ୪ ଜଣକୁ ପୁଲିସ ଗିରଫ କରିଛି ।
ଅନ୍ୟପକ୍ଷରେ ଚାଲାଣକାରୀ ଗ୍ୟାଙ୍ଗର ମୁଖ୍ୟ କାର୍ରେ ଆସି ପୁଲିସକୁ ମାଉଜର ଦେଖାଇ ଡରାଇବାକୁ ଚେଷ୍ଟା କରିଥିଲା । ହେଲେ ପୁଲିସ ତାକୁ ମଧ୍ୟ କାବୁ କରିନେଇଛି । ଘଟଣାସ୍ଥଳରୁ ଜଣେ ଫେରାର୍ ହୋଇଥିବା ପୁଲିସ ସୂଚନା ଦେଇଛି ।
Powered by Froala Editor