ବର୍ଷେ ତଳେ ଖୋଲିଥିଲା ନୂଆ ସଂସଦ ଭବନ, ଏବେ ଛାତରୁ ଗଳୁଛି ପାଣି
ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ତାମିଲନାଡୁର ବିରୁଧୁନଗର ଲୋକସଭା ଆସନରୁ କଂଗ୍ରେସ ସାଂସଦ ମାଣିକମ୍ ଟାଗୋରଙ୍କ ଦ୍ୱାରା ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେୟାର କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ନୂଆ ସଂସଦ ଭବନ ଛାତରୁ ପାଣି ଲିକ୍ ହେଉଛି। ତଳେ ପଡୁଥିବା ପାଣି ଯେପରି ଚାରିଆଡେ ବିସ୍ତାର ନହୁଏ ସେଥିପାଇଁ ଚଟାଣରେ ଗୋଟିଏ ବାଲ୍ଟି ମଧ୍ୟ ରଖାଯାଇଛି।
କଂଗ୍ରେସ ନେତା ସୋସିଆଲ ମିଡିଆରେ ଲେଖିଛନ୍ତି, “ବାହାରେ ପ୍ରଶ୍ନପତ୍ର ଲିକ୍, ଭିତରର ପାଣି ଲିକ୍। ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସଂସଦ ଲବିରେ ସମ୍ପ୍ରତି ପାଣି ଗାଳିବା ନୂତନ ବିଲ୍ଡିଂରେ ପାଣିପାଗ ସମ୍ବନ୍ଧୀୟ ସମସ୍ୟାକୁ ଦର୍ଶାଉଛି।” ଏହି ନୂତନ ବିଲ୍ଡିଂ ନିର୍ମାଣ ହେବାର କେବଳ ଗୋଟିଏ ବର୍ଷ ପରେ ଏହି ଚିତ୍ର ଆସିଛି।
ଦିଲ୍ଲୀରେ ଗତ ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ଘରର ଛାତ ମଧ୍ୟ ଭୁଶୁଡି ପଡିଛି। ରାସ୍ତାରେ ଅଣ୍ଟା ଯାଏଁ ପାଣି ଜମି ରହିଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଉପୁଜିଛି। କଂଗ୍ରେସ ନେତା ଏହି ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣା ଉପରେ ବିଭିନ୍ନ କମେଣ୍ଟ ଦେଉଛନ୍ତି।
Powered by Froala Editor