ଦିଲ୍ଲୀରେ ପ୍ରବଳ ବର୍ଷା, ୨ ମୃତ
ନୂଆଦିଲ୍ଲୀ: ବର୍ଷା ପାଣିରେ ଉବୁଟୁବୁ ହେଲା ଦିଲ୍ଲୀ । ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀର ତଳିଆ ଅଂଚଳରେ ପାଣି ଜମିଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ସ୍ୱଭାବିକ୍ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି ।
ଗଣମାଧ୍ୟମର ସୂଚନା ଅନୁସାରେ, ଭୀଷଣ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି । ଗାଜିପୁର ସାପ୍ତାହିକ ବଜାର ଅଂଚଳରେ ମା-ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସବଜିମଣ୍ଡି ଅଂଚଳରେ ଗୋଟିଏ ଦୋକାନ ଭୁଶୁଡ଼ିପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ସେପଟେ ବର୍ଷା ଯୋଗୁଁ ଜୟପୁର ଯିବାକୁ ଥିବା ୮ଟି ବିମାନ ଓ ଲକ୍ଷ୍ନୌ ଯିବାକୁ ଥିବା ୨ଟି ବିମାନକୁ ବାତିଲ କରାଯାଇଥିଲା । ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ରେଡ଼ ଅଲର୍ଟ ଜାରି କରିଥିବାରୁ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
Powered by Froala Editor