ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
ପୁରୀ: ସ୍ନାନପୂର୍ଣ୍ଣିମା ବିଳମ୍ବିତ ରାତି ଠାରୁ ଆସନ୍ତା ଜୁଲାଇ ୮ତାରିଖ ୧୫ ଦିନ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ଅନବସରକାଳୀନ ଗୁପ୍ତ ପୂଜା । ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଏ । ଜଗମୋହନରେ ବିଜେ ହୋଇଥାନ୍ତି ପଟିଦିଅଁ । ଏଣୁ ଗୁରୁବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ବିଜେ ହୋଇଛନ୍ତି ପଟିଦିଅଁ । ଶ୍ରୀବିଗ୍ରହ ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ ହେବାପରେ ଅଣସର ତାଟି ସମ୍ମୁଖରେ ପଟିଦିଅଁ ପୂଜା ପାଇଥାନ୍ତି ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜିତ । ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା’ ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ଶ୍ରୀନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ । ଅନବସର ସମୟରେ ଠାକୁରଙ୍କୁ ପଣା ଓ ଫଳମୂଳ ଭୋଗ ଲଗାଯାଏ । ଠାକୁରଙ୍କ ପାରମ୍ପରିକ ଚିତ୍ରକର ସେବକମାନେ ଶୁଦ୍ଧପୂତ ଭାବେ ପଟିଦିଅଁଙ୍କୁ ତିଆରନ୍ତି । ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନପାରି ଭକ୍ତମାନେ ପଟିଦିଅଁକୁ ଦର୍ଶନ କରନ୍ତି । କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ରହିବେ।
Powered by Froala Editor