ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ କୋଭିଡ୍ ରିଲିଫ୍ ପାଇଁ ୭୫ ଭେଂଟିଲେଟର ଯୋଗାଣ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ତରଫରୁ ଓଡ଼ିଶା ସରକାରଙ୍କୁ ୭୫ଟି ଭେଂଟିଲେଟର ଯୋଗାଇ ଦିଆଯାଇଛି । କୋଭିଡ୍-୧୯ର ମୁକାବିଲା ଓ ପ୍ରଭାବକୁ ହ୍ରାସ କରିବା ଲାଗି କଂପାନି ଗ୍ରହଣ କରିଥିବା ବହୁ ପ୍ରକାର ପଦକ୍ଷେପକୁ ଏହା ଜରିଆରେ ଜାରି ରଖାଯାଇଛି । ଏକ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ରାଜ୍ୟ ପ୍ରସ୍ତୁତ ହେଉଥିବା ବେଳେ କଂପାନିର ଅଧିକାରୀମାନେ ଅନ୍ୟାନ୍ୟ ଆକ୍ସେସୋରିଜ୍ ସହିତ ୭୫ଟି ଭେଂଟିଲେଟରକୁ ମେଡିକାଲ୍ ବ୍ୟବହାର ପାଇଁ ରାଜ୍ୟ ମାଲିକାନାରେ ଥିବା ଗୋଦାମକୁ ପଠାଇଛନ୍ତି ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ, “ଭାରତର ସରକାରଙ୍କ ସମ୍ପ୍ରସାରିତ ହାତ ଭାବେ ଆମେ ପ୍ରଥମ ଦିନରୁ କରୋନା ମୁକାବିଲା କରୁଛୁ । ଆମେ ଗ୍ରହଣ କରୁଥିବା ପ୍ରତିଟି ପଦକ୍ଷେପରେ ଆମେ ସବୁ ସମ୍ଭବ ଉପାୟରେ ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଛୁ । ଆମର ଉଭୟ ୟୁନିଟ୍ରୁ ନିରବଚ୍ଛିନ୍ନ ଭାବେ ବହୁ ରାଜ୍ୟକୁ ଏଲ୍ଏମ୍ଓ ଯୋଗାଇବା, ହିସାରରେ ଏକ ଜରୁରୀକାଳୀନ କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରିବା ଓ ଆମ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସଫଳତାର ସହ ଟିକାରଣ ଆଦି ସହିତ ଆମେ ଦ୍ୱିତୀୟ ଲହର ସହ ଲଢ଼େଇ କରିଛୁ । ଯଦି ତୃତୀୟ ଲହର ଆମକୁ ଆକ୍ରମଣ କରିବ ତେବେ ସେଥିପାଇଁ ଆମେ ଉତମ ପ୍ରଯୁକ୍ତିକୁ ଏବେ ନିଶ୍ଚିତ କରୁଛୁ ।’’
ବର୍ତମାନ ସୁଦ୍ଧା, ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ବିଭିନ୍ନ ହସ୍ପିଟାଲ୍ ଓ ଅକ୍ସିଜେନ୍ ଫିଲିଂ ଷ୍ଟେସନକୁ ପ୍ରାୟ ୫୪୦୦ ନିୟୁତ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଯୋଗାଇ ଦିଆଯାଇଛି । ହିସାର ଓ ଯାଜପୁରରେ ଥିବା ୟୁନିଟ୍ ଜରିଆରେ କଂପାନି ପକ୍ଷରୁ ହରିୟାଣା, ଦିଲ୍ଲୀ ଏନସିଆର ଓ ଓଡ଼ିଶାର ୫୦ରୁ ଅଧିକ ମେଡିକାଲ୍ ବ୍ୟବସ୍ଥାକୁ ଦୈନିକ ୫୦ଟନ୍ ରୁ ଅଧିକ ଅକ୍ସିଜେନ୍ ଯୋଗାଣ କରାଯାଉଛି । ପୁନଶ୍ଚ, ହିସାରରେ ଥିବା ଓପି ଜିନ୍ଦଲ ମଡର୍ଣ୍ଣ ସ୍କୁଲ ପରିସରରେ ସ୍ଥାପନ କରାଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପାଇଁ କଂପାନି ଏଲ୍ଏମ୍ଓ ଯୋଗାଣ କରିଛି ।
କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବା ଲାଗି କଂପାନି ତରଫରୁ ବିଭିନ୍ନ କାର୍ଯ୍ୟାଳୟ ସ୍ଥଳରେ ଟିକାକରଣ ଶିବିର ଆୟୋଜନ କରାଯାଇଛି । ଏହା ବ୍ୟତୀତ, ଜିନ୍ଦଲ ଷ୍ଟେନଲେସ୍ ତରଫରୁ ଏକ ନୀତି ଘୋଷଣା କରାଯାଇଛି ଯେଉଁଥିରେ ସଂପ୍ରତି ମହାମାରୀରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେହି ସମସ୍ତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ।
Powered by Froala Editor