ସେପ୍ଟେମ୍ବରରେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା !
ଭୁବନେଶ୍ୱର:ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ହୋଇପାରେ ସ୍ଥଗିତ ଥିବା ଜେଇଇ ମେନ୍ । ସେହିପରି ସେପ୍ଟେମ୍ବରରେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ବା ନିଟ୍ ହୋଇପାରେ । ଜାତୀୟ ଗଣମାଧ୍ୟମରେ ଏଭଳି ସୂଚନା ଦିଆଯାଇଛି । କରୋନା ପରିସ୍ଥିତିକୁ ଯାଞ୍ଚ କରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଉଲ୍ଲେଖ କରାଯାଇଛି । କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ୍ ଖରେ ସୂଚନା ଦେଇ କହିଛନ୍ତି, ମନ୍ତ୍ରଣାଳୟ ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ଜେଇଇ ମେନ୍ର ଏପ୍ରିଲ୍ ସଂସ୍କରଣ ପରିଚାଳନା କରିବାକୁ ଯୋଜନା କରୁଛି । ଏଥର ଦୁଇଟି ଜେଇଇ ମେନ୍ ମଧ୍ୟରେ ଏକ ମାସ ବ୍ୟବଧାନ ରହି ନପାରେ । ନଚେତ୍ ୨୦୨୧-୨୨ ଏକାଡେମିକ୍ କ୍ୟାଲେଣ୍ଡରରେ ବିଳମ୍ବ ହେବ ବୋଲି ସେ କହିଛନ୍ତି । ଜେଇଇ ମେନ୍ ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ କରାଯିବ ବୋଲି ଶ୍ରୀ ଖେର କହିଛନ୍ତି । ଜୁଲାଇରେ ଜେଇଇ ମେନ୍ ମେ’ ସଂସ୍କରଣ ପାଇଁ ପଞ୍ଜୀକରଣ ହୋଇପାରେ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏର ନିୟମ ଅନୁଯାୟୀ, ୪ଟି ଯାକ ଜେଇଇ ମେନ୍ ମଧ୍ୟରୁ ଶ୍ରେଷ୍ଠ ସ୍କୋରକୁ ବିଚାରକୁ ନିଆଯିବ । ନିଟ୍ -ୟୁଜି ଦିନିକିଆ ପେନ୍-ପେପର୍ ପରୀକ୍ଷା ହୋଇଥିବାରୁ ପରିସ୍ଥିତି ଅନୁକୂଳ ହେବା ପରେ ଏହା କରିବା ସମ୍ଭବ ହୋଇପାରିବ । ତେଣୁ କୋଭିଡ୍ ମାମଲା ସଂଖ୍ୟା କମିବା ପରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲକ୍ଡାଉନ୍ ସ୍ଥିତି ସମୀକ୍ଷା ପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ନିଟ୍ ପାଇଁ ପଞ୍ଜୀକରଣ ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ।
Powered by Froala Editor