ଚଣ୍ଡୀପୁରରେ ଦଃଖର କଳାବାଦଲ : ୪ ଦିନରେ ପରିବାରର ୩ ଜଣଙ୍କ ମୃତ୍ୟୁ
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କେପିଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗ୍ରାମରେ ଦୁଃଖର କଳାବାଦଲ ଘୋଟି ଆସିଛି । ୪ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ନେଇ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଋଣ ବୋଝରୁ ପୁଅ, ବୋହୂ ବିଷ ପିଇ ଆତ୍ମହତ୍ୟା କରିବା ପରେ ବାପା ମଧ୍ୟ ଆଖି ବୁଜି ଦେଇଛନ୍ତି ।
ଘଟଣା ଏମିତି ଯେ, ଚଣ୍ଡୀପୁର ଗ୍ରାମର ଜୟକୃଷ୍ଣ ନନ୍ଦଦେବ ଗୋସ୍ୱାମୀଙ୍କ ପୁଅ ସ୍ୱରୂପାନନ୍ଦ(୪୫) ଓ ତାଙ୍କ ପତ୍ନୀ ସଙ୍ଗୀତା ଏକ ଫାଇନାନ୍ସ ସଂସ୍ଥା ସହ ଗ୍ରୁପ୍ରୁ ଋଣ ଆଣି ହଲର୍ ମେସିନ୍, ମୁଢ଼ି ଭଜା ମେସିନ୍ ବସାଇ ବ୍ୟବସାୟ କରୁଥିଲେ । ହେଲେ ଏଥିରେ ତାଙ୍କର ସେତେଟା ଲାଭ ହୋଇନଥିଲା । ବାରମ୍ବାର କ୍ଷତି ସହିବା ସହ ଋଣ ସୁଝିବା ଚିନ୍ତା ବଢୁଥିଲା । ସଂସ୍ଥାର କର୍ମଚାରୀ ବାରମ୍ବାର କିସ୍ତି ଟଙ୍କା ମାଗିବାକୁ ଆସି ଦୁର୍ବ୍ୟବହାର କରୁଥିଲେ । ଲୋକଲଜ୍ଜା ସହି ନପାରି ସ୍ୱରୂପାନନ୍ଦ ଓ ସଙ୍ଗୀତା ଗତ ବୁଧବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ।
ଦୁହିଁଙ୍କୁ ପ୍ରଥମେ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ କଟକ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ସ୍ୱରୂପାନନ୍ଦ ଭେଣ୍ଟିଲେଟର୍ରେ ଚିକିତ୍ସାଧୀନ ଥିବାବେଳେ ଶନିବାର ଆଖି ବୁଜିଦେଲେ । ପୁଅ-ବୋହୂଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ସରିଥିବା ବେଳେ ଏ ବାବଦରେ ବାପା ଜୟକୃଷ୍ଣ ଜାଣି ନଥିଲେ । ପୁଅ କିପରି ଅଛି ବୋଲି ରବିବାର ପଚାରି ବୁଲୁଥିବା ବେଳେ ହଠାତ୍ ପରିବାରର ଜଣେ ସଦସ୍ୟ ସ୍ୱରୂପାନନ୍ଦ ଆଉ ନାହାନ୍ତି ବୋଲି କହିଥିଲେ । ଏହା ଶୁଣି ଜୟକୃଷ୍ଣଙ୍କ ପାଦ ତଳୁ ଯେମିତି ମାଟି ଖସି ପଡିଥିଲା । ଅଚେତ ହୋଇ ପଡିଯିବା ପରେ ତୁରନ୍ତ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ମାତ୍ର ୪ ଦିନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଗାଁରେ ମଧ୍ୟ ଦୁଃଖର ବାତାବରଣ ରହିଛି ।
Powered by Froala Editor