୧୪ରେ ରତ୍ନଭଣ୍ଡାର ଖୋଲିବା ନେଇ ଏହା କହିଲେ ଆଇନମନ୍ତ୍ରୀ
ଭୁବନେଶ୍ୱର: ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି । ଗତକାଲି ପରିଚାଳନା କମିଟିର ବୈଠକରେ ହୋଇଥିବା ସୁପାରିଶ ଆଜି ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିଶ ଆସିବ ତାହାକୁ ନେଇ ବିଭିନ୍ନ ଦିଗରେ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସବୁଠୁ ବଡ କଥା ହେଲା, ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ୟ୍ୟ କରିଛି ସେ ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଚାବି କାମ କରୁ କି ନକରୁ ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଥିଲେ ଯାଞ୍ଚ କମିଟିର ଅଧ୍ୟକ୍ଷ । ପରେ ପରିଚାଳନା କମିଟି ବୈଠକରେ ମଧ୍ୟ ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଏବଂ ଅଳଙ୍କାର ଗଣତି ଓ ମଣତି ପାଇଁ ଭିନ୍ନ ଭିନ୍ନ ଭାବେ ଦୁଇଟି ପ୍ରସ୍ତାବିତ ଏସ୍ଓପି ରତ୍ନଭଣ୍ଡାର ଯାଞ୍ଚ କମିଟି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିଛି। କମିଟି ଏଥିରେ ଆବଶ୍ୟକ ସଂଶୋଧନ ସହ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। ଅନୁମୋଦନ ମିଳିବା ପରେ ଏସ୍ଓପି ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯିବ।
Powered by Froala Editor