ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ମ୍ୟାଲେରିଆ ଆତଙ୍କ, ୧୦୩ ପଜିଟିଭ୍
ରାୟଗଡ଼ାରେ ପ୍ରଥମେ ଡିପ୍ଥେରିଆ । ଏବେ ଝାଡାବାନ୍ତି ଓ ମ୍ୟାଲେରିଆ ଭୟ । ଯାହାକୁ ନେଇ ସ୍ୱାସ୍ଥ୍ୟବିଭାଗ ଚିନ୍ତାରେ ପଡିଯାଇଛି । ସୋମବାର ସୁଦ୍ଧା ୮ରୁ ୧୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେପଟେ ମ୍ୟାଲେରିଆ ଆତଙ୍କ ଖେଳାଇଲାଣି । କଲ୍ୟାଣସିଂହପୁର ବ୍ଲକ୍ର ବେଲକଣା ଏବଂ ତଳଅଞ୍ଚଳବାଡ଼ି ଆବାସିକ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ମୋଟ ୨୩୦ ଛାତ୍ରଛାତ୍ରୀ ସ୍କ୍ରିନିଂ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଛାତ୍ରଛାତ୍ରୀଙ୍କଠାରେ ମ୍ୟାଲେରିଆ ଚିହ୍ନଟ ହୋଇଛି । ୧୫ ଜଣଙ୍କୁ ସାମାନ୍ୟ ଜ୍ୱର ହୋଇଥିବା ବେଳେ ମ୍ୟାଲେରିଆ ଲକ୍ଷଣ ରହିଛି । ମ୍ୟାଲେରିଆ ଜଣାପଡ଼ିବା ପରେ ବର୍ତ୍ତମାନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ, ଖରାଛୁଟି ସରିବା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ପରିଚାଳିତ ସ୍କୁଲ୍ ଓ ହଷ୍ଟେଲ୍କୁ ଛାତ୍ରଛାତ୍ରୀ ଫେରିଛନ୍ତି । ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଗତ ୨ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି । ସେ ଅନୁଯାୟୀ ଜିଲ୍ଲାର ସମସ୍ତ ସ୍କୁଲ୍ ହଷ୍ଟେଲ୍ରେ ରହୁଥିବା ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ମେଡିକାଲ୍ ଟିମ୍ ପ୍ରତ୍ୟେକ ସ୍କୁଲ୍କୁ ଯାଇ ପରୀକ୍ଷା କରୁଛନ୍ତି । କିନ୍ତୁ ଚିନ୍ତାର ବିଷୟ ଯେ, ରକ୍ତ ନମୁନା ପରୀକ୍ଷା କରାଯିବାରୁ ଶତାଧିକ ଛାତ୍ରଛାତ୍ରୀଙ୍କଠାରେ ମ୍ୟାଲେରିଆ ପଜିଟିଭ୍ ବାହାରିଛି ।
ଅନ୍ୟପଟେ ରବିବାର ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ର ୧୭ଜଣ ମ୍ୟାଲେରିଆ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ନିୟମଗିରି ପାହାଡ଼ର ବିଭିନ୍ନ ଗାଁରେ ମ୍ୟାଲେରିଆ ବ୍ୟାପିଥିବା ଜଣାପଡ଼ିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତୁରନ୍ତ ମେଡିକାଲ ଟିମ୍ ପଠାଇବାକୁ କୁହାଯାଇଛି ।
କିଛି ଲୋକ କହିଛନ୍ତି ଯେ, ମଶା ନିରାକରଣ ପାଇଁ ଖାଲି ସଚେତନତା କରାଯାଉଛି । କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା କରାଯାଉନି । ଡିଡିଟି ସିଞ୍ଚନ କରାଯାଉନି କି ମଶାରୀ ବଣ୍ଟା ଯାଉନି । ତେଣୁ ବର୍ଷା ଆରମ୍ଭରୁ ମ୍ୟାଲେରିଆ ବ୍ୟାପିଲାଣି ।
Powered by Froala Editor