ରଥଟଣାବେଳେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରାରେ ଅଘଟଣ ଘଟିଛି। ରଥଟଣା ବେଳେ ଭିନଭିନ୍ନ ୨ଟି ସ୍ଥାନରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଘଟଣା ପୁରୀରେ ଘଟିଛି। ଅନ୍ୟ ଘଟଣାଟି ଝାରସୁଗୁଡ଼ା ଜିଲ୍ଲା କୁକୁଜଂଘା ଗାଁରେ ଘଟିଛି।
ପୁରୀରେ ସନ୍ଧ୍ୟା ୫ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟଣାଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ତାଳଧ୍ବଜ ମରିଚିକୋଟ ଛକରେ ପହଞ୍ଚିବା ପରେ ବାଟରେ ଅଘଟଣ ଘଟିଥିଲା। ଜଣେ ଶ୍ରଦ୍ଧାଳୁ ଭିଡ଼ ଭିତରେ ଅଚେତ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।
ଝାରସୁଗୁଡ଼ା ଜିଲ୍ଲା କୁକୁଜଂଘା ଗାରେ ରଥ ଟଣା ବେଳେ ଏକ ପାର୍ଶ୍ଵକୁ ରଥ ଗଡ଼ି ଯାଇଥିଲା। ଫଳରେ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ିଯିବାରୁ ତାଙ୍କ ଉପରେ ରଥ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥା ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ଶ୍ୟାମ ସୁନ୍ଦର କିଷାନ (୪୫)।
ମହାପ୍ରଭୁଙ୍କ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମିଳିବ ବୋଲି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ଚିକିତ୍ସା ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor