ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ
ଭୁବନେଶ୍ୱର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ, ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ୟ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ । ୧୯୯୦ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୨୦୦୨ରୁ ୨୦୦୪ ପର୍ୟ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ୨୦୦୪ରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ।
Powered by Froala Editor