ବୁଲାଣିରେ ବସ୍ରୁ ଛିଟିକି ପଡିଲେ ମହିଳା, ସିସିଟିଭିରେ କଏଦ ହେଲା ଦୃଶ୍ୟ
ତାମିଲନାଡୁର ନାମକ୍କାଲ ଅଞ୍ଚଳରେ ଜଣେ ମହିଳା ବସରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକୁ ଛିଟିକି ପଡ଼ିଥିଲେ। ସୌଭାଗ୍ୟବଶତଃ ବସ୍ରୁ ଛିଟିକି ପଡ଼ିବା ପରେ ସେ ରାସ୍ତାରେ ଗଡ଼ିଗଡ଼ି କିଛି ବାଟ ଯାଇଥିଲେ ହେଁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏହି ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଦୁର୍ଘଟଣାର ଶିକାର ହୋଇଥିବା ମହିଳା ଯାତ୍ରୀଙ୍କ ନାମ ଶ୍ରଦ୍ଧା। ଶ୍ରଦ୍ଧା ସାଲେମକୁ କିଛି କପଡ଼ା କିଣିବାକୁ ଯାଇଥିଲେ। ସେଠାରୁ କାମସାରି ସେ ବସ୍ ଯୋଗେ ଘରକୁ ଫେରୁଥିଲେ। ବସରେ ବସିବାକୁ ସିଟ ନମିଳିଥିବାରୁ ସେ ଛିଡ଼ା ହୋଇ ଆସୁଥିଲେ। ବସଟି ଦ୍ରୁତଗତିରେ ଥାଇ ଏକ ବୁଲାଣିରେ ବୁଲାଉଥିବା ବେଳେ ଶ୍ରଦ୍ଧା ଭାରସାମ୍ୟ ରକ୍ଷା କରି ପାରି ନଥିଲେ। ଫଳରେ ବସ ଦ୍ବାର ପାଖରେ ସେ ଛିଡ଼ା ହୋଇଥିବା ବେଳେ ରାସ୍ତାକୁ ଛିଟିକି ପଡ଼ିଥିଲେ।
ଏହା ଦେଖି ଅନ୍ୟ ଯାତ୍ରୀମାନେ ଚକିତ ହେବା ସହ କଣ୍ଡକ୍ଟରଙ୍କୁ ଖବର ଦେଇଥିଲେ। ସେ ଡ୍ରାଇଭରଙ୍କୁ କହି ଗାଡ଼ି ଅଟକାଇଥିଲେ। ବସ୍ରେ ଥିବା ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଶ୍ରଦ୍ଧାଙ୍କ ପାଖକୁ ଦୌଡ଼ିଥିଲେ। ସେ ବସ୍ ଠାରୁ ପ୍ରାୟ ୨୦ ଫୁଟ ଦୂରରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସାଲେମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
Powered by Froala Editor