ଫୋନ୍ ଚୋରି ସନ୍ଦେହ କରି ଭାଇକୁ ମାରିଲା ଭାଇ
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ମୋବାଇଲ୍ ଫୋନ୍ ଚୋରିକୁ କେନ୍ଦ୍ରକରି ଜଣେ ଯୁବକ ନିଜ ବଡ଼ବାପା ପୁଅ ଭାଇକୁ ହତ୍ୟା କରିଛି । ମୃତକ ଅମୃତିଆ ଗ୍ରାମର ଦିଲ୍ଲୀପ ଓଝାଙ୍କ ପୁଅ ସରୋଜ ଓଝା (୩୨) । ଅଭିଯୁକ୍ତ ରଂଜନ ଓଝା (୨୭) କୁ ଗିରଫ କରିବା ସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଚଳାଇଛି ପୁଲିସ । ଏ ନେଇ ଥାନାରେ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
କିଛି ଦିନ ତଳେ ସରୋଜର ମୋବାଇଲ୍ ଫୋନ୍ ଚୋରି ହୋଇଥିଲା । ଫୋନ୍ଟିକୁ ରଞ୍ଜନ ଚୋରି କରି ନେଇଥିବା ସରୋଜ ସନ୍ଦେହ କରୁଥିଲା । ଏଥି ପାଇଁ ସେ ରଞ୍ଜନକୁ ଫୋନ ମାଗିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା । ବୁଧବାର ସନ୍ଧ୍ୟାରେ ଗାଁ ମୁଣ୍ଡ ଦୋକାନରେ ରଞ୍ଜନ କିଛି ଯୁବକଙ୍କ ସହ ବସିଥିଲା । ଏହି ସମୟରେ ସରୋଜ ସେହି ରାସ୍ତା ଦେଇ ଯିବାରୁ ରଞ୍ଜନ ତାକୁ ପିଛା କରି ବିଲ ମଝିରେ ଅଟକାଇଥିଲା । ସେଠାରେ ଦୁହେଁ ମାର୍ପିଟ୍ ଲାଗିଥିଲେ । ରଞ୍ଜନ ଏକ ମଦ ବୋତଲରେ ସରୋଜକୁ ପିଟି ମାରି ଦେଇଥିଲା । ପରେ ରଂଜନ ସରୋଜ ପକେଟରୁ ମୋବାଇଲ୍ ଫୋନ୍କୁ ଆଣି ସେଠାରୁ ଚାଲି ଯାଇଥିଲା । ସରୋଜ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗୁରୁବାର କିଛି ଶ୍ରମିକ କାମ କରିବାକୁ ସେହି ରାସ୍ତା ଦେଇ ଯାଉଥିବା ବେଳେ ସରୋଜକୁ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସ ସରୋଜର ଶବ ଜବତ କରି ତଦନ୍ତ କରୁଥିଲା । ଅନ୍ୟପକ୍ଷରେ ସରୋଜ ଓ ରଞ୍ଜନଙ୍କ ଝଗଡା ହେଉଥିବାରୁ ସନ୍ଦେହ କରି ତାକୁ ଘରେ ତାଲା ପକାଇ ଦେଇଥିଲେ । ଶେଷରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି । ସାମାନ୍ୟ ମୋବାଇନ ଚୋରି ସନ୍ଦେହରେ ସେ ହତ୍ୟା କରିଥିବା ଜାଣିବା ପରେ ପରିବାର ଲୋକ ହତବାକ ହୋଇପଡିଛନ୍ତି ।
Powered by Froala Editor