କାଶ୍ମୀରକୁ ନେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦୀୟ ମନ୍ତବ୍ୟ
ଇସଲାମାବାଦ : ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର କେବଳ ଦେଶକୁ ସୁରକ୍ଷା ଦେବା ପାଇଁ ଉଦ୍ଧିଷ୍ଟ । କାଶ୍ମୀର ସମସ୍ୟାର ସମାଧାନ ହେବା ପରେ ଏହାର ଆଉ କୌଣସି ଆବଶ୍ୟକତା ରହିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଚଳିତ ବର୍ଷ ଜାନୁଆରି ସୁଦ୍ଧା ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଛି ଏବଂ ଦେଶର ଏହାର ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରସାର କରୁଥିବା ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଏସଆଇପିଆରଆଇ) ଗତ ସପ୍ତାହରେ କହିଛି । ଗତବର୍ଷ ଜାନୁଆରି ସୁଦ୍ଧା ପାକିସ୍ତାନ ନିକଟରେ ୧୬୦ଟି ଆଣବିକ ଅସ୍ତ୍ର ଥିଲା । ଏକ ସାକ୍ଷାତକାରରେ ଇମ୍ରାନ ଏହା କହିଛନ୍ତି ବୋଲି ଡନ ୱେବସାଇଟରେ ପ୍ରକାଶ ପାଇଛି । ଭାରତର ନାମ ନେଇ ନଥିଲେ ମଧ୍ୟ ଇମ୍ରାନ କହିଛନ୍ତି ତାଙ୍କ ନିଜ ଦେଶର ଆକାରଠାରୁ ୭ ଗୁଣ ବଡ଼ ଏକ ଦେଶ ପଡେ଼ାଶୀ । ତେଣୁ ତାଙ୍କ ଭଳି ଯେକୌଣସି ଦେଶ ମଧ୍ୟ ଚିନ୍ତିତ ରହିବ ବୋଲି ସେ କହିଛନ୍ତି । ଭାରତ ନିକଟରେ ଆଣବିକ ଅସ୍ତ୍ର ଥିବାରୁ ପାକିସ୍ତାନ ଏହା ରଖିଛି ବୋଲି ସେ ସଙ୍କେତ ଦେଇଛନ୍ତି । କାଶ୍ମୀରରେ ସମାଧାନ ହୋଇଗଲେ ଦୁଇ ପଡେ଼ାଶୀ ସଭ୍ୟ ଭାବରେ ବଞ୍ଚିବେ । ଆମେରିକା ଯଦି ତତ୍ପରତା ଏବଂ ଇଚ୍ଛାଶକ୍ତି ଦେଖାଏ ତାହେଲେ କାଶ୍ମୀରର ମାମଲା ସମାଧାନ ହୋଇପାରିବ । ଅନ୍ୟପକ୍ଷରେ କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତ ବାରମ୍ବାର କହିଆସୁଛି ।
Powered by Froala Editor