୮ରୁ ରତ୍ନଭଣ୍ଡାର ଖୋଲିବ : ୨୦ ଦିନ ଧରି ଗଣତି ଓ ମଣତି ପ୍ରକ୍ରିୟା ଚାଲିବ
ଆସନ୍ତା ଜୁଲାଇ ୮ ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହିତ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଜଷ୍ଟିସ ଅରିଜିତ ପଶାୟତଙ୍କ ଗସ୍ତ ସୂଚୀରୁ ଅନୁମାନ କରାଯାଉଛି। ୨୦ ଦିନ ଧରି ଏହି ଗଣତି ଓ ମଣତି ପ୍ରକ୍ରିୟା ଚାଲିବ। ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ ପୁରୀ ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜୁଲାଇ ୫ ତାରିଖଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବେ। ତେବେ ଭିତର ରତ୍ନଭଣ୍ଡାର ଖୋଲି ଗଣତି ଓ ମଣତି ହେବ କି ଅନ୍ୟ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି। ଯେହେତୁ ଜଷ୍ଟିସ୍ ପଶାୟତ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ବେଳେ ଏଣ୍ଡୋସ୍କୋପି ଭଳି ପ୍ରକ୍ରିୟା ଗ୍ରହଣ କରିବା ଲାଗି ପ୍ରସ୍ତାବ ଉଠିଥିଲା, ସେ ଦୃଷ୍ଟିରୁ କେମିତି ଅଳଙ୍କାର ଗଣତି ଓ ମଣତି ହେବ, ତାହା ଉପରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାକୁ ଆସିଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଂଚ, ମରାମତି ଓ ଗଣନା କାର୍ଯ୍ୟ କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଖୋଲିବା ସହ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରି ବିଜେପି ନିଜର ପ୍ରତିଶ୍ରୁତିକୁ ପାଳନ କରିସାରିଛି । ଏବେ ଯାଂଚ କମିଟିର ପରାମର୍ଶ ଆଧାରରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।
Powered by Froala Editor