ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଟିକାକରଣ
ନୂଆଦିଲ୍ଲୀ: ଏବେ ଦେଶରେ କରୋନା ଟିକାକରଣକୁ ଜୋରଦାର୍ କରାଯାଉଛି । ବୟସ୍କଙ୍କ ପରେ ବର୍ତ୍ତମାନ ଯୁବପିଢ଼ିଙ୍କୁ ଟିକା ଦିଆଯାଉଛି । ସମସ୍ତଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେଉଛନ୍ତି । ତେବେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ । ଯାହାକୁ ନେଇ ଉଭୟ ସରକାର ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । କିଭଳି ଭାବେ ସେମାନେ ପିଲାମାନଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବେ ତାକୁ ନେଇ ବ୍ୟଥିତ ହୋଇ ଯାଇଛନ୍ତି । ଏଭଳି ସମୟରେ ଆସିଛି ଖୁସି ଖବର । ଯଦି ସବୁ କିଛି ଠିକଠାକ୍ ରୁହେ ତେବେ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଟିକାକରଣ କରାଯାଇପାରେ ।
ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ । ଏହାସହ ସେହି ମାସରେ ଏହାକୁ ମଞ୍ଜୁରୀ ମିଳିବ । ଯାହା ଆଶା କରାଯାଉଛି ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଯଦି ଦେଶରେ ଫାଇଜର ବାୟୋଏନଟେକର ଭାକ୍ସିନକୁ ସବୁଜ ସଂକେତ ମିଳେ, ତେବେ ଶିଶୁମାନଙ୍କ ଲାଗି ଏହା ଏକ ବିକଳ୍ପ ହେବ । ଦିଲ୍ଲୀ ଏମସ ପକ୍ଷରୁ ଶିଶୁଙ୍କ କ୍ଷେତ୍ରରେ ଏହାର ସ୍କ୍ରିନିଂ କରାଯାଉଛି । ୨ରୁ ୧୭ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହାର ଟ୍ରାଏଲ ଚାଲିଛି । ଗତ ମେ ୧୨ ତାରିଖରେ ଶିଶୁଙ୍କ କ୍ଷେତ୍ରରେ କୋଭାକ୍ସିନର ଫେଜ ୨ ଟ୍ରାଏଲ କରିବା ଲାଗି ଡିସିଜିଆଇ ଭାରତ ବାୟୋଟେକକୁ ଅନୁମତି ଦେଇଛି ।
ଅପରପକ୍ଷରେ ଯଦି ସେପ୍ଟେମ୍ବର ଭିତରେ ଦେଶରେ ଶିଶୁଙ୍କୁ ଟିକାକରଣ କରାଯାଏ, ତେବେ ଏହା କରୋନାକୁ ମାତ୍ ଦେବାରେ ନିଶ୍ଚିତ ଭାବେ ଫଳପ୍ରଦ ହେବ । ପିଲାମାନେ ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯାହାକି ଏକ ପ୍ରକାର ଆଶ୍ୱସ୍ତିକର ଖବର ।
Powered by Froala Editor