ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ପଢ଼ାଇବେ ୪୫୮୦ ଅତିଥି ଶିକ୍ଷକ
ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ଏବେବି ଶିକ୍ଷକ ଅଭାବ ଲାଗି ରହିଛି । ଏହି ସମସ୍ୟାକୁ ଦୂରେଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢ଼ାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଏଥିପାଇଁ ଖୁବଶୀଘ୍ର ନିଯୁକ୍ତି ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୫ ମାର୍ଚ୍ଚ ଯାଏ ଏମାନେ ନିୟୋଜିତ ହେବେ । ଖାଲିଥିବା ପଦବି ପୂରଣ ନହେବା ପର୍ଯ୍ୟନ୍ତ ଅତିଥି ଶିକ୍ଷକମାନେ ପଢ଼ାଇବେ ।
ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଅନୁଯାୟୀ, ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଖାଲି ପଦବି ପୂରଣ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବେ । କେଉଁଠି ନିଯୁକ୍ତିର ଆବଶ୍ୟକତା ରହିଛି ଜଣାଇବେ । ଯେଉଁ ସ୍କୁଲରେ ଆବଶ୍ୟକତାରୁ କମ୍ ଶିକ୍ଷକ ଥିବେ ସେଠାରେ ଅଗ୍ରାଧିକାର ଭାବେ ଅତିଥି ଶିକ୍ଷକଙ୍କୁ ନିୟୋଜିତ କରାଯିବ । ଏହି ନିଯୁକ୍ତି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଜିଲ୍ଲାପାଳଙ୍କ ଅନୁମୋଦନରେ କରିବେ । ନୂତନ ଭାବେ ଟିଜିଟି ଶିକ୍ଷକ ନିଯୁକ୍ତି ପରେ ଉକ୍ତ ଅତିଥି ଶିକ୍ଷକମାନେ ଆଉ ସେହି ସ୍କୁଲରେ ପାଠ ପଢ଼ାଇବେ ନାହିଁ । ସେମାନଙ୍କୁ ଅନ୍ୟ ସ୍କୁଲ ଯେଉଁଠି ଶିକ୍ଷକଙ୍କ ଆବଶ୍ୟକତା ଥିବ ସେଠାରେ ନିୟୋଜିତ କରାଯିବ । ନିଯୁକ୍ତି ପରେ ସେମାନଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରାଯିବ ।
Powered by Froala Editor