ଏଥର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ମିଳିବନି

ଏଥର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ। ସମୟ କମ୍ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ରଥଯାତ୍ରା ଏକାଠି ପଡୁଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନବଯୌବନ ଦର୍ଶନ ବନ୍ଦ ସହ ପହଣ୍ଡି ଟିକେଟ୍ ମଧ୍ୟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି। ଏଥି ସହିତ ସେହିଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମଧ୍ୟ ମନା କରାଯାଇଛି।
ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ତେଣୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁସାରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା ହେବ। ନିଷ୍ପତ୍ତି ଅନୁସାରେ ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପରେ ରଥ ଉପରେ ମହାପ୍ରଭୁ ଶ୍ରଦ୍ଧାଳୁ ଦର୍ଶନ ଦେବେ। ଦିନ ୧ଟା ୧୦ ମିନିଟ୍ରେ ପହଣ୍ଡି ଆରମ୍ଭ ହୋଇ ସାଢେ ଦୁଇଟାରେ ଶେଷ ହେବ। ତା’ପୂର୍ବଦିନ ଅର୍ଥାତ ଜୁଲାଇ ୬ ତାରିଖରେ ସକାଳ ଧୂପ ପରେ ପଟିଦିଅଁଙ୍କଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ସନ୍ଧ୍ୟା ଧୂପ ପରେ ଧ୍ୱଜା ଆଜ୍ଞାମାଳ ବିଜେ କରିବ। ଜୁଲାଇ ୭ ତାରିଖ ଅପରାହ୍ନ ୫ଟାରେ ରଥ ଟଣାଯିବ।
ସୋମବାର ଅନୁଷ୍ଠିତ ନୀତି ସବ୍-କମିଟି ଏବଂ ଛତିଶା ନିଯୋଗର ଯୁଗ୍ମ ବୈଠକରେ ରଥଯାତ୍ରାଠୁ ନୀଳାଦ୍ରି ବିଜେ ଯାଏ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ୟବସ୍ଥାବଳୀରେ ମୋହର ବାଜିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ପରିଚାଳନା କମିଟି ବୈଠକରେ ମୋହର ଲାଗିଛି । ସେହିପରି ସେବାୟତ ପରିବାରମାନଙ୍କୁ କେବଳ ନବଯୌବନ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଅନୁମୋଦନ କରିଛି ପରିଚାଳନା କମିଟି।
Powered by Froala Editor