ମାରାତ୍ମକ ହେଲାଣି ଡିପ୍ଥେରିଆ, ସରାପସ୍ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

କଳାହାଣ୍ଡି ଜିଲ୍ଲା ଥୁଆମୂଳ. ରାମପୁର ବ୍ଲକ ଉପାନ୍ତ ସରାପାସ୍ ଗାଁରେ ଡିପ୍ଥେରିଆ ମାରାତ୍ମକ ରୂପ ଧାରଣ କରିଛି । ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନେକ ଆକ୍ରାନ୍ତ ଅଛନ୍ତି । ଏହାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ଜାରି ରହିଛି । ଏକ ଡାକ୍ତରୀ ଦଳ ଗାଁରେ ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷପଦର ଗାଁ ସୀମାକୁ ଲାଗି ରହିଛି କଳାହାଣ୍ଡି ଜିଲ୍ଲାର ସରାପାସ ଗାଁ । ମୁନୁଷପଦର ଗାଁରେ ଡିପ୍ଥେରିଆରେ ପ୍ରାଣ ହରାଇଥିବା ଶିଶୁ ସରାପସ୍ ଗାଁକୁ ଏକ ଭୋଜିରେ ଯୋଗଦେବାକୁ ଆସିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚପରେ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହାପରେ ସରାପସ୍ ଗାଁରେ ଡିପ୍ଥେରିଆ ବ୍ୟାପିଥିବା ସନ୍ଦେହ କରାଯାଉଛି । ଅନ୍ୟ ଗାଁକୁ ଯେଭଳି ଏହି ମାରାତ୍ମକ ଡିପ୍ଥେରିଆ ନ ବ୍ୟାପିବ ଏଥିପାଇଁ ସରାପସ୍ ଗାଁକୁ କଣ୍ଟେନମେଣ୍ଟ ଜୋନ୍ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଅନ୍ୟପଟେ ଡିପ୍ଥେରିଆ ଲକ୍ଷଣଯୁକ୍ତ ୫ଜଣଙ୍କୁ ଚିହ୍ନଟ କରିବା ପରେ ମଙ୍ଗଳବାର ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ନମୁନା ସଂଗ୍ରହ କରାଯାଇ ବୁଧବାର ପରୀକ୍ଷା ପାଇଁ ଭୁବନେଶ୍ୱର ଆରଏମ୍ଆରସି ପଠାଯାଇଛି ।
୧୯୯୮ରେ ବ୍ୟାପକ ଭାବେ ଡିପ୍ଥେରିଆ (କଣ୍ଠ ଆଳତି) ଦେଖାଯାଇଥିଲା । ଦୈନିକ ୧୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିଲେ । ୨୦୦୦ ମସିହା ପରଠୁ ବିଶେଷ ଭାବେ ଏହି ରୋଗ ଦେଖାଯାଉ ନଥିଲା । ଏଥିପାଇଁ ପ୍ରତିଷେଧକ ଟିକା ଦିଆଯାଉଛି । ଏବେ କିଛିଦିନ ହେଲା ପୁଣି ଏହି ରୋଗ ଦେଖାଯାଇଛି । ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ସଙ୍ଗେସଙ୍ଗେ ଡାକ୍ତରୀ ପରାମର୍ଶ ନେବା ସହ ଜୀବାଣୁ ନାଶକ ଟିକା ନେବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ରୋଗୀମାନଙ୍କ କ୍ଷେତ୍ରରେ ପ୍ରଥମେ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥାଏ । ପରେ ନିମୋନିଆ, ଆଉ କିଛି ରୋଗୀଙ୍କ ହୃଦ୍ଘାତ ଓ ଆଉ କିଛି ରୋଗୀ ପକ୍ଷାଘାତର ଶିକାର ହୋଇଥାନ୍ତି । ଏହି ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ କରାଯାଇଛି । ଆସୁଥିବା ରୋଗୀଙ୍କୁ ପ୍ରଥମେ ପ୍ରତିଷେଧକ ଇଞ୍ଜେକସନ୍ ସହ ଟିକା ଦିଆଯାଉଛି । ଏମ୍କେସିଜିରେ ଏହି ଟିକା ନ ଥିଲା । ସ୍ୱାସ୍ଥ୍ୟ ବିଭାଗରୁ ୩୦ଟି ଟିକା ଆସିଥିବା ବେଳେ ୧୮ଟି ଦିଆସରିଲାଣି ଏବଂ ଅଧିକ ଟିକା ମଗାଯାଇଛି । ଯେଉଁମାନେ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।
Powered by Froala Editor