୩୦ରୁ ୫୦% ବଢ଼ିଲାଣି ପିଆଜ ଦର
ମୁମ୍ବଇ: ନିର୍ବାଚନ ସମୟରେ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ପର୍ୟ୍ୟାପ୍ତ କଟକଣା ଜାରି କରିଥିବା ବେଳେ ଫଳ ପ୍ରକାଶ ପରେ ଦର ବଢ଼ିବାରେ ଲାଗିଛି। ଚାହିଦା ଅନୁଯାୟୀ ଯୋଗାଣ କମୁଥିବାରୁ ୧୪ ଦିନ ମଧ୍ୟରେ ପିଆଜ ଦର ୩୦ରୁ ୫୦% ବଢ଼ିଛି। କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରିବା ପାଇଁ ଟିକସ କମାଇବା ଆଶାରେ ବ୍ୟବସାୟୀ ପିଆଜ ଗଚ୍ଛିତ କରି ରଖିଛନ୍ତି। ଫଳରେ ବଜାରରେ ଯଥେଷ୍ଟ ପିଆଜ ନ ଥିବାରୁ ଦର ବୃଦ୍ଧି ପାଇଛି। ପାଇକାରୀ ମୂଲ୍ୟ ୩୦ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଛି। ନିର୍ବାଚନ ସମୟରେ ପିଆଜ ଦର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ। ତେବେ ପିଆଜ ଅମଳ ଭଲ ହୋଇଥିବା ଦର୍ଶାଇ ଓ ବଜାରରେ ପର୍ୟ୍ୟାପ୍ତ ପିଆଜ ଉପଲବ୍ଧ ଥିବା ନେଇ ରପ୍ତାନି ଉପରୁ କଟକଣା ଉଠାଇ କେତେକ ମିତ୍ର ରାଷ୍ଟ୍ରଙ୍କୁ ପିଆଜ ରପ୍ତାନିକୁ ଅନୁମତି ଦିଆଯାଇଥିଲା। ତେବେ ରବି ଋତୁରେ ଅମଳ ଭଲ ହୋଇ ନ ଥିବାରୁ ଓ ରପ୍ତାନି ଚାହିଦା ସହ ଘରୋଇ ଚାହିଦା ବଢ଼ୁଥିବାରୁ ପିଆଜ ଦର ବଢ଼ିଛି। ଅନ୍ୟପକ୍ଷରେ ସରକାର ରପ୍ତାନି ଶୁଳ୍କ କମ୍ କରିବା ଆଶାରେ କେତେକ ଚାଷୀ ଓ ବ୍ୟବସାୟୀ ପିଆଜ ଗଚ୍ଛିତ କରି ରଖିଥିବାରୁ ମଧ୍ୟ ବଜାରରେ ଚାହିଦା ଅନୁଯାୟୀ ପିଆଜ ଉପଲବ୍ଧ ହେଉନାହିଁ। ଏହା ମଧ୍ୟ ଦର ବଢ଼ିବାର ଅନ୍ୟଏକ କାରଣ। ମହାରାଷ୍ଟ୍ର ନାସିକ୍ର ଲାସଲଗାଓଁ ମଣ୍ଡିରେ ଛୋଟ ପିଆଜର ପାଇକାରୀ ମୂଲ୍ୟ କେଜି ପ୍ରତି ୨୬ ଟଙ୍କା ରହିଛି, ଏହା ମେ’ ୨୫ ତୁଳନାରେ ୧୭ ଟଙ୍କା ଅଧିକ। ସେହିପରି ଉଚ୍ଚ ମାନର ପିଆଜ ଦର ପାଇକାରୀ ବଜାରରେ କେଜି ପ୍ରତି ୩୦ ଟଙ୍କା ଅତିକ୍ରମ କରିଛି। ତେବେ ଯୋଗାଣ ଓ ଚାହିଦା ଅସନ୍ତୁଳନ ଫଳରେ ଏହିପରି ମୂଲ୍ୟ ବୃଦ୍ଧି ହୋଇଛି। କଟକ ମାଲଗୋଦାମକୁ ପ୍ରତିଦିନ ୧୦ରୁ ୧୨ ଟ୍ରକ ପିଆଜ ଆସୁଥିବା ବେଳେ ଏବେ ୩ରୁ ୫ଟି ଟ୍ରକ ଆସୁଛି। ଏଠାରେ ଛୋଟ ପିଆଜର ପାଇକାରୀ ମୂଲ୍ୟ ୨୭ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା ୩୨ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉଚ୍ଚ ମାନର ପିଆଜର ପାଇକାରୀ ମୂଲ୍ୟ ୩୫ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା ୪୦ ଟଙ୍କାରେ ବିକ୍ରି ହେଉଛି। ଚାଷୀ ଓ ବ୍ୟବସାୟୀ ଗଚ୍ଛିତ ରଖିଥିବା ପିଆଜ ଜୁନ୍ରୁ ବଜାରକୁ ଆସିଥାଏ। ତେବେ ୨୦୨୩-୨୪ ରବି ଋତୁରେ ପିଆଜ ଅମଳ କମିଥିବାରୁ ମୂଲ୍ୟ ବୃଦ୍ଧି ଆଶାରେ ଚାଷୀ ଏବେ ପିଆଜ ବିକିବାକୁ ଅମଙ୍ଗ। ସେହିପରି ଗତ ମାସରେ କଟକଣା ଉଠିବା ପରେ ଶ୍ରୀଲଙ୍କା, ବାଂଲାଦେଶ, ମାଲେସିଆ ଏବଂ ଅନ୍ୟ ଦେଶକୁ ପିଆଜ ରପ୍ତାନି ହେଉଛି। ନାସିକରୁ ପ୍ରତିଦିନ ପ୍ରାୟ ୩ ହଜାର ଟନ୍ ପିଆଜ ରପ୍ତାନି ହେଉଛି। ଏହା ପିଆଜ ଚାହିଦାକୁ ବହୁଗୁଣରେ ବଢ଼ାଇଦେଇଛି। ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଯୋଗୁଁ ରପ୍ତାନି ହାର କମ୍ ଥିବା ସତ୍ତ୍ୱେ ଜୁନ୍ ୧୭ରେ ବକ୍ରି ଇଦ୍ ପଡ଼ୁଥିବାରୁ ପିଆଜର ଘରୋଇ ଚାହିଦା ବଢ଼ିଥିବା ବ୍ୟବସାୟୀ କହିଛନ୍ତି। ଗତ ସପ୍ତାହେ ମଧ୍ୟରେ ଅତ୍ୟଧିକ ତାତି କାରଣରୁ ମୁମ୍ବଇରେ ଟମାଟୋ, ପିଆଜ ଏବଂ ଆଳୁ ମୂଲ୍ୟ ବୃଦ୍ଧି ପାଇଛି।
Powered by Froala Editor