କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ

ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ। ଏଭଳି ଘୋଷଣା ପରେ ବିଜେପି ଶିବିରରେ ଉତ୍ସାହ ସହ କର୍ମୀମାନେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଖୁସି ମନାଉଛନ୍ତି।
ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ମୋହନଙ୍କ ନାଁ ଚୟନ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ୭୮ ଆସନ ଜିତି ବହୁମତ ହାସଲ କରିଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସହ ତୁଙ୍ଗ ନେତା ଉପସ୍ଥିତ ଥିଲେ। କନକବର୍ଦ୍ଧନ ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ଏବଂ ପ୍ରଭାତୀ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି।
କନକ ବର୍ଦ୍ଧନ ସିଂଦେଓ:
୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୧୯୫୬ ଜୁନ ୧୪ରେ ତାଙ୍କର ଜନ୍ମ। ୨୦୦୦ରୁ ୨୦୦୯ ଯାଏ ସେ ଓଡ଼ିଶା ବିଧାନସଭାରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି।
ପ୍ରଭାତୀ ପରିଡ଼ା:
୨୦୨୪ ନିର୍ବାଚରେ ପ୍ରଥମ ଥର ବିଧାୟିକା ହୋଇଥିବା ପ୍ରଭାତି ନିମାପଡ଼ା ଆସନରୁ ଜିତି ବଡ଼ ପଦବୀ ପାଇଛନ୍ତି। ୧୯୯୫ରେ ସେ ନିଜର ଏଲଏଲ୍ବି ଶିକ୍ଷା ସମାପ୍ତ କରିଥିଲେ। ୨୦୦୫ରେ ସେ ଏମ୍ଏ କରିଥିଲେ। କହିବାକୁ ଗଲେ ସେ ସେ ପ୍ରଥମ ଥର ଏମ୍ଏଲ୍ଏରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।
Powered by Froala Editor