ବଡ଼ ଘୋଷଣା : ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍ରେ ହୋଇଛି ବଡ଼ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ନିଷ୍ପତ୍ତି ନିଆଯାଇଛି।
୨୦୧୫-୨୬ରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧୀନରେ ୪.୨୧ କୋଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଦିଆଯାଇଛି। ତଥାପି ଅନେକ ହିତାଧିକାରୀ ବାଦ ପଡ଼ିଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ଆଉ ୩ କୋଟି ଗୃହ ନିର୍ମାଣ ହେବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ କିଷାନ ନିଧି ୧୭ତମ କିସ୍ତି ରିଲିଜ କରିବା ପାଇଁ ପିଏମ ମୋଦି ଦସ୍ତଖତ କରିଛନ୍ତି। ଏହାଦ୍ୱାରା ୯.୩ କୋଟି ଚାଷୀଙ୍କୁ ଉପକୃତ ହେବେ ଏବଂ ପ୍ରାୟ ୨୦ ହଜାର କୋଟି ଟଙ୍କା ବଣ୍ଟନ କରାଯିବ।
Powered by Froala Editor