ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ବିଜ୍ଞପ୍ତି ଜାରି
ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଶେଷ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା।
ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜାତୀୟ ନିର୍ବାଚନ କମିଶନଙ୍କ ୨୦୧୯ ମେ’ ୨୫ତାରିଖ ବିଜ୍ଞପ୍ତି ଆଧାରରେ ଗଠିତ ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଗଲା । ଯାହାକି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଗଠନ ଦିନଠୁ ପ୍ରଭାବୀ ହେବ । ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତ ବିଜ୍ଞପ୍ତିକୁ ସାଧାରଣ ବିଜ୍ଞପ୍ତି ଆକାରରେ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଛି ।
Powered by Froala Editor