ଦୁଇଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର: ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଆସନ୍ତା ଦୁଇଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଦୁଇଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼କୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ଆସନ୍ତା ୪ଦିନ ମଧ୍ୟ ଗୁଳୁଗୁଳି ଲାଗି ରହିବ। ଏଥିପାଇଁ ବିଭିନ୍ନ ସହରକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁସାରିଛି। ଏହା କ୍ରମଶଃ ଉତ୍ତର-ପୂର୍ବ ଅଞ୍ଚଳ ଆଡ଼କୁ ମୁହାଁଇବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ଆଗୁଆ ଆସିଛି। ଦୁଇଦିନ ପୂର୍ବରୁ କେରଳ ଛୁଇଁଛି। ଓଡ଼ିଶାକୁ ଜୁନ ୧୨ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମୌସୁମୀ ପାଇଁ ଜୁନ ୧ରୁ ସେପ୍ଟେମ୍ବର ୩୧ ଯାଏ ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।
Powered by Froala Editor