ସୀମାରେ ଯବାନଙ୍କ ଯୋଗ
ଯୋଗ ଜୀବନଶୈଳୀ ପାଇଁ କେତେ ଜରୁରି ତାହା ସମସ୍ତଙ୍କୁ ଜଣା । ତେବେ ୧୮ ହଜାର ଫୁଟ୍ ଉଚ୍ଚରେ ଯବାନଙ୍କ ଯୋଗାଭ୍ୟାସ ସତରେ ପ୍ରଶଂସନୀୟ । ଅନ୍ତର୍ଜାତୀୟ ଯୋଗ ଦିବରେ ଲଦାଖରେ ଥିବା ଆଇଟିବିପି ଯବାନମାନେ ଯୋଗକୁ ପ୍ରାଥମିକତା ଦେଇଛନ୍ତି । ସୀମାରେ ରହି ଯୋଗ ଦ୍ୱାରା ଫିଟ୍ ରହିବାର ଫର୍ମୂଲା ଦେଶବାସୀଙ୍କୁ ଦେଇଛନ୍ତି ।
ସେହିପରି ଗଲଓ୍ୱାନ ଘାଟିରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନେ ବି ଯୋଗ କରିଛନ୍ତି । ପାଙ୍ଗଙ୍ଗ ସୁ ଅଞ୍ଚଳରେ ଯବାନ ଯୋଗାସନରେ ନଜର ଆସିଛନ୍ତି । ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଯବାନ ବି ଯୋଗ କରିଛନ୍ତି ।
କୁକୁର ବି ଶିଖୁଛନ୍ତି, ଫିଟ୍ ରହୁଛନ୍ତି :
ତେବେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ରାୟପୁରର କାଙ୍କେର ଅଞ୍ଚଳରେ । କାଙ୍କେର ଅଂଚଳରେ ଯବାନ ମାନଙ୍କ ସହ କୁକୁରଙ୍କୁ ମଧ୍ୟ ଯୋଗାଭ୍ୟାସ କରାଯାଏ । ଦେଶୀ ଏବଂ ବିଦେଶୀର ବିଭିନ୍ନ ପ୍ରକାର କୁକୁରଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରତ୍ୟେକ ଦିନ ସକାଳ ୫ଟା୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଯବାନ ଏବଂ କୁକୁରମାନେ ମିଳିତ ଭାବେ ଅଭ୍ୟାସ କରନ୍ତି । ଏହି ପ୍ରଶିକ୍ଷିତ କୁକୁରମାନଙ୍କୁ ରାଜଭବନ, ହାଇକୋର୍ଟ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ କରାଯାଇଥାଏ ବୋଲି ପ୍ରଶିକ୍ଷଣ ଦେଉଥିବା ବିଗ୍ରେଡିୟର ବିକେ ପୋନାବାର କହିଛନ୍ତି । ନକ୍ସଲଙ୍କ ସହ ଜଙ୍ଗଲରେ ଅପରେଶନ ବେଳେ ଏହି କୁକୁରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବାରୁଦ ସୁଡଙ୍ଗ ଏବଂ ଲ୍ୟାଣ୍ଡ ମାଇନ ଖୋଜିବାରେ ଏମାନେ ଧୂରନ୍ଧର ।
Powered by Froala Editor