ଚିଲିକା ଉପରେ କେବଳ ନବୀନ ପଟ୍ଟନାୟକ ହିଁ ସେତୁ କରିପାରିବେ: ପାଣ୍ଡିଆନ
ଭୁବନେଶ୍ୱର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଜିଲାର କୃଷ୍ଣପ୍ରସାଦରେ ପ୍ରଚାର କରିଛନ୍ତି। ମାଲୁଦ ମେଳଣ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଛନ୍ତି।
ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ବାବା ଅଲାରନାଥ କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ପାଣ୍ଡିଆନ କହିଥିଲେ, ୨୦୧୪ରେ ନିନିନ ଗଡ଼଼କରୀ ଓଡ଼ିଶା ଆସି ଚିଲିକା ଉପରେ ସେତୁ କରିବେ ବୋଲି କହିଥିଲେ। ହେଲେ ଏଯାଏ କରିପାରିଲେ ନାହିଁ। ଏବେ ପୁଣି କହୁଛନ୍ତି ସେତୁ କରିବେ। ଗଡ଼଼କରି କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ନବୀନ ପଟ୍ଟନାୟକ ମହାନଦୀ, ବୈତରଣୀ ନଦୀ ସମେତ ଗୁରୁପ୍ରିୟା ନଦୀରେ ସେତୁ ତିଆରି କରିଛନ୍ତି। ତେଣୁ ଚିଲିକା ଉପରେ କେବଳ ନବୀନ ପଟ୍ଟନାୟକ ହିଁ ସେତୁ କରିପାରିବେ।
ସେ ଆହୁରି କହିଥିଲେ ବ୍ରହ୍ମଗିରିରେ ଡବଲ ଇଞ୍ଜିନ ରହିଛି। ବିଜେପିର ବିଧାୟକ ଅଛନ୍ତି, ତା’ହେଲେ କାହିଁକି ଏଯାଏ ସେତୁ ହୋଇପାରିଲା ନାହିଁ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ବର୍ଷ ଭିତରେ ସେତୁ ତିଆରି କରିବେ। ପରିବେଶ ମନ୍ତ୍ରଣାଳୟ ଅନୁମତି ଦେଲେ ଏଠାରେ ସେତୁ ହେବ ବୋଲି ପାଣ୍ଡିଆନ କହିଥିଲେ। ଯାହା ଅର୍ଥ ଖର୍ଚ୍ଚ ହେବ ତାହା ଦେବେ। ତେଣୁ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମେ ସେ ବିଜୁଳି ବିଲ୍ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ୨ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଘୋଷଣା ଏବଂ ୩ୟରେ ମିଶନଶକ୍ତି ମା’ମାନଙ୍କୁ ପେନ୍ସନ ପ୍ରଦାନ ନେଇ କରିଥିବା ଘୋଷଣା ଉପରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ଶେଷରେ ନବୀନଙ୍କୁ ଆଶୀର୍ବାଦ କରିବାକୁ ପାଣ୍ଡିଆନ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେହିପରି ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଜନସମାବେଶକୁ ଉଦବୋଧନ ଦେଇଥିଲେ।
Powered by Froala Editor