୨ ପୋଲିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଚାଲିଛି ଭୋଟଗ୍ରହଣ । ଏହାରି ଭିତରେ ୨ ଜଣ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । କଳାହାଣ୍ଡି ନର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ଶାହ, ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀ ମାନସ ରଞ୍ଜନ ସେଠୀଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି । ଉଭୟଙ୍କୁ କାର୍ୟ୍ୟରେ ଅବହେଳା ପାଇଁ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଏଥିସହ ସେ କହିଛନ୍ତି ଯେ ଚିକିଟିରେ କିଛି ଘଟଣା ଘଟିଛି, ମୁଁ ସେ ବିଷୟରେ ଜିଲ୍ଲାପାଳଙ୍କ ସହ କଥା ହୋଇଛି । ମାତ୍ର ସେଠାରେ ମତଦାନ ଠିକଠାକ ଜାରି ରହିଥିବା ସେ ସୂଚଦା ଦେଇଛନ୍ତି । ଆଜି ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ୟ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ୟ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ୟ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।
Powered by Froala Editor