ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ମାମଲା: ୫ମ ଅଭିଯୁକ୍ତ ଗିରଫ
ମୁମ୍ୱଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ମାମଲାରେ ୫ମ ଅଭିଯୁକ୍ତ ଗିରଫ ହୋଇଛି। ମଙ୍ଗଳବାର ଏହି ମାମଲାରେ ୫ମ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ମୁମ୍ୱଇର କ୍ରାଇମବ୍ରାଞ୍ଚ ଟିମ୍। ମିଳିଥିବା ସୂଚନା ମୁତାବକ, ଗିରଫ ବ୍ୟକ୍ତି ଜଣକ ସଲମାନଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ସୁଟର୍ମାନଙ୍କୁ ସାହାଯ୍ୟ କରିଥିଲା। ଗିରଫ ଅଭିଯୁକ୍ତର ନାମ ମହମ୍ମଦ ଚୌଧରୀ ବୋଲି ଜଣାପଡ଼ିଛି।
ଏପ୍ରିଲ ୧୪ ତାରିଖ ସକାଳେ ବଲିଓଡ଼୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ସୁଟର୍ ବାଇକ୍ରେ ଆସି ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେଥିରୁ ଗୋଟିଏ ଗୁଳି ସଲମାନଙ୍କ କାନ୍ଥରେ ବାଜିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଏହି ଆକ୍ରମଣ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଏହି ମାମଲା ଦିନକୁ ଦିନ ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଜେଲରେ ଆତ୍ମହତ୍ୟା କରିଛି। କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।
Powered by Froala Editor