ଭୟଙ୍କର ଦୁର୍ଘଟଣାରେ ୫ ମୃତ
ଡେରାଡୁନ: ମସୁରୀ-ଡେରାଡୁନ ମାର୍ଗର ଝଡିପନି ରୋଡରେ ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା କାର୍ । ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ଯୁବକ ଏବଂ ଜଣେ ଯୁବତୀ ଥିବା ସୂଚନା ରହିଛି । ତେବେ ପ୍ରାଣ ହରାଇଥିବା ସମସ୍ତେ କଲେଜ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ୪ଜଣ ଯୁବକ ଏବଂ ଜଣେ ଯୁବତୀ ଡେରାଡୁନର ଆଇଏମଏସ କଲେଜରେ ପଢୁଥିଲେ । ସେମାନେ ସାଙ୍ଗ ହୋଇ ମସୁରୀ ବୁଲିବା ପାଇଁ ଆସିଥିବା ବେଳେ ଆଜି ସକାଳେ ଘରକୁ ଫେରୁଥିଲେ । କିନ୍ତୁ ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଖାଇକୁ ଖସି ଯାଇଥିଲା । ଦୁର୍ଘଟଣାର ଖବର ଶୁଣିବା ମାତ୍ରେ ନିକଟସ୍ଥ ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡି ଆସିଥିଲେ । ପରେ ପୋଲିସକୁ ଖବର ଦେବାରୁ ପୋଲିସ ତତ୍କ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଗାଡି ଖାଇରେ ପଡିଥିବାରୁ ଉଦ୍ଧାର କାର୍ୟ୍ୟରେ ଅନେକ ସମସ୍ୟା ହୋଇଥିଲା । ହେଲେ ବର୍ତ୍ତମାନ ସମସ୍ତଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor