ଦ୍ବିତୀୟ ପର୍ୟ୍ୟାୟ : ୧୩ ରାଜ୍ୟର ୮୮ ସଂସଦୀୟ ଆସନରେ ହେବ ମତଦାନ
ନୂଆଦିଲ୍ଲୀ: ଶୁକ୍ରବାର ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ୟ୍ୟାୟ ଭୋଟିଂ ,ହେବାକୁ ଯାଉଛି । ଏଥିରେ ୧୩ ରାଜ୍ୟର ୮୮ ସଂସଦୀୟ ଆସନରେ ମତଦାନ ହେବ । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିରେ ଏହି ପର୍ୟ୍ୟାୟରେ ମୋଟ ୮୯ ଆସନରେ ଭୋଟିଂ ସ୍ଥିରୀକୃତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଦେଶର ବେତୁଲ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଭୋଟିଂ ତାରିଖକୁ ତୃତୀୟ ପର୍ୟ୍ୟାୟକୁ ଘୁଞ୍ଚାଯାଇଛି । ତେଣୁ ଚଳିତ ପର୍ୟ୍ୟାୟରେ ମୋଟ ୮୮ ଆସନରେ ଭୋଟିଂ ହେଉଥିବା ବେଳେ କେରଳର ସମସ୍ତ ୨୦ ଆସନରେ ଭୋଟିଂ ହେବ ।
ଚଳିତ ପର୍ୟ୍ୟାୟରେ କଂଗ୍ରେସର ଷ୍ଟାର ନେତା ରାହୁଲ ଗାନ୍ଧୀ, ଶଶୀ ଥରୁର, ବାଚସ୍ପତି ଓମ ବିର୍ଲା ପ୍ରମୁଖ ମୈଦାନରେ ରହିଛନ୍ତି । ଚଳିତ ପର୍ୟ୍ୟାୟରେ କେରଳର ସମସ୍ତ ୨୦ ଆସନ, ଆସାମର ୫, ବିହାରର ୫, ଛତିଶଗଡ଼ରେ ୩, କର୍ଣ୍ଣାଟକରେ ୧୪, ମଧ୍ୟ ପ୍ରଦେଶ ୬, ମହାରାଷ୍ଟ୍ର ୮, ମଣିପୁର ୧,ରାଜସ୍ଥାନ ୧୩, ତ୍ରିପୁରା ୧, ଉତ୍ତର ପ୍ରଦେଶ ୮, ପଶ୍ଚିମବଙ୍ଗରେ ୩ ଓ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ମତଦାନ ହେବାକୁ ଯାଉଛି ।
ମୋଟ ୮୮ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ଭାବେ ମୋଟ ୨,୬୩୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ କାରଣରୁ କିଛି ନାମାଙ୍କନ ଖାରଜ ହେବା ପରେ ୧୪୨୮ ପ୍ରାର୍ଥିତ୍ବ ଚୂଡାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ କିଛି ପ୍ରକ୍ରିୟା ଓ ପ୍ରାର୍ଥୀତ୍ବ ପ୍ରତ୍ୟାହାର କାରଣରୁ ବର୍ତ୍ତମାନ ମୋଟ ୧,୨୦୨ ପ୍ରାର୍ଥୀ ମୈଦାନରେ ରହିଛନ୍ତି ।
Powered by Froala Editor