ଦେଶରେ ୪୬୫୮ କୋଟି ଟଙ୍କାର ସାମଗ୍ରୀ ଜବତ
ଭୁବନେଶ୍ୱର : ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଆଜିକାଲି ସାଧାରଣ କଥାରେ ପରିଣତ ହେଲାଣି । ତେବେ ଏହା ଉପରେ ନିର୍ବାଚନ କମିଶନ ନିଘା ରଖିଛନ୍ତି । ଯେଉଁଥିପାଇଁ ନିର୍ବାଚନ ପୂର୍ବରୁ ରେକର୍ଡ଼ ପରିମାଣର ଟଙ୍କା, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇସାରିଲାଣି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଏଯାବତ ଦେଶରେ ୪୬୫୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିବାବେଳେ ଓଡ଼ିଶାରୁ ୧୦୭ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ଟଙ୍କା, ଡ୍ରଗ୍ସ ଓ ଅନ୍ୟାନ୍ୟ ପ୍ରଲୋଭନ ସାମଗ୍ରୀ ଜବତ ହୋଇଛି ।
ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏଯାବତ ଦେଶରେ ୩୯୫ କୋଟିର ନଗଦ ଟଙ୍କା ଜବତ ହୋଇଛି । ସେହିପରି ସାଢ଼େ ୩ କୋଟି ଲିଟର ମଦ ଜବତ ହୋଇଥିବାବେଳେ ଏହାର ମୂଲ୍ୟ ୪୮୯ କୋଟିରୁ ଅଧିକ ହେବ । ଅପରପକ୍ଷରେ ୨୦୬୮ କୋଟି ଟଙ୍କାର ଡ୍ରଗ୍ସ, ୫୬୨ କୋଟି ଟଙ୍କାର ମୂଲ୍ୟବାନ ଧାତବ ସାମଗ୍ରୀ ଓ ୧୧୪୨ କୋଟିର ପ୍ରଲୋଭନ ସାମଗ୍ରୀ ଜବତ କରାଯାଇଛି ।
ଯେତେବେଳେକି ଓଡ଼ିଶାରୁ ୧ କୋଟି ୪୭ ଲକ୍ଷ ନଗଦ ଟଙ୍କା ଜବତ ହୋଇସାରିଛି । ଏହାଛଡ଼ା ୧୬ କୋଟି ଟଙ୍କାର ୧୩ ଲକ୍ଷ ଲିଟରରୁ ଅଧିକ ମଦ, ୩୯ କୋଟିର ଡ୍ରଗ୍ସ, ୬ କୋଟିର ମୂଲ୍ୟବାନ ପଥର, ପ୍ରାୟ ୪୪ କୋଟିର ପ୍ରଲୋଭନ ସାମଗ୍ରୀ ଜବତ ହୋଇଛି ।
୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ମୋଟ ଉପରେ ୩୪୭୫ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଘୋଷଣା କରିବା ସମୟରେ ଅର୍ଥ ବଳ ବା ମନି ପାୱାରକୁ ବଡ଼ ଆହ୍ୱାନ ଭାବେ ଦର୍ଶାଇଥିଲେ ।
ଫ୍ଲାଇଂ ସ୍କ୍ୱାଡ୍ ଜରିଆରେ ଚଢ଼ାଉ ଜୋରଦାର କରାଯାଇଛି । ଏପରିକି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଏବଂ ଅନ୍ୟ ରାଜ୍ୟରେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରିଛନ୍ତି । ନିର୍ବାଚନ ପ୍ରଚାରରେ ରାଜନେତାଙ୍କୁ ସହଯୋଗ କରୁଥିବା ପ୍ରାୟ ୧୦୬ ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅସ୍ଥାୟୀ ଗୋଦାମ, ଅନ୍ତର୍ଜାତୀୟ ସୀମାପାର୍ ଚେକପୋଷ୍ଟ, ଅଣନିର୍ଦ୍ଧାରିତ ବିମାନ ଓ ହେଲିକପ୍ଟରରେ ଆୟକର ବିଭାଗ, ବିମାନ ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷା ଏଜେନ୍ସି, ସମ୍ପୃକ୍ତ ଜିଲ୍ଲାର ଏସପି ଓ ଜିଏସଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଉଛି । ସଡକ ପରିବହନ ପାଇଁ ଚେକପୋଷ୍ଟ ଓ ନାକାରେ, ଉପକୂଳ ମାର୍ଗରେ ତଟରକ୍ଷୀ ବାହିନୀ ଦ୍ୱାରା ଏବଂ ହେଲିକପ୍ଟର ଓ ଅଣନିର୍ଦ୍ଧାରିତ ବିମାନରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ଯାଞ୍ଚ ହେଉଥିବା ଦେଖିବାକୁ ମିଳୁଛି । ନିର୍ବାଚନ ଜବତ ପରିଚାଳନା ପ୍ରଣାଳୀ (ଇଏସଏମଏସ) ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ସମସ୍ତ ଏନଫୋର୍ସମେଣ୍ଟ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଦ୍ୱାରା ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେଉଛି । ତଥ୍ୟ ଅନୁଯାୟୀ, ବିଭିନ୍ନ ଏଜେନ୍ସିର ୬୩୯୮ ଜିଲ୍ଲା ନୋଡାଲ ଅଫିସର, ୭୩୪ ଜଣ ରାଜ୍ୟ ନୋଡାଲ ଅଫିସର, ୫୯୦ ଫ୍ଲାଇଂ ସ୍କ୍ୱାଡ୍ (ଏଫ୍ଏସ୍) ଏବଂ ଷ୍ଟାଟିକ୍ସ ସର୍ଭିଲାନ୍ସ ଟିମ୍ (ଏସଏସଟି)କୁ ରିୟଲ ଟାଇମ୍ ମନିଟରିଂ ଏବଂ ଅପଡେଟ୍ ପାଇଁ ଇଏସ୍ଏମ୍ଏସ୍ ପ୍ଲାଟଫର୍ମରେ ନିୟୋଜିତ କରାଯାଇଛି । ସମସ୍ତ ନୋଡାଲ ଅଧିକାରୀଙ୍କୁ ଇଏସଏମଏସ ବ୍ୟବହାର କରିବାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଛି ।
Powered by Froala Editor