ଭୋର୍ରୁ ସଲମାନଙ୍କ ଘର ବାହାରେ ଫୁଟିଲା ୩ ରାଉଣ୍ଡ ଗୁଳି
ରବିବାର ଭୋର ପ୍ରାୟ ୫ଟା ବେଳେ ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛନ୍ତି। ସେମାନେ କାହିଁକି ଗୁଳି ଫୁଟାଇଲେ, ସଲମାନଙ୍କୁ ଡରାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ନା ଆଉ କିଛି ଏନେଇ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରୁଛି।
ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଘଟଣା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସ୍ଥାନୀୟ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନାଥାଉ କି, ଜେଲରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଟାର୍ଗେଟରେ ଅଛନ୍ତି ସଲମାନ ଖାନ। ସେ ସଲମାନଙ୍କୁ ମାରିବାକୁ ଚାହୁଁଛନ୍ତି। ଏନେଇ ଅନେକ ଥର ତାଙ୍କୁ ଧମକ ମିଳି ସାରିଛି। ୨୦୧୮ରେ, ଲରେନ୍ସ ବିଷ୍ଣୋଇର ସହାୟକ ସମ୍ପତ ନେହେରା ସଲମାନ ଖାନଙ୍କ ଘରକୁ ଟାର୍ଗେଟ୍ କରିଥିଲା। ତେବେ ଏହି ଆକ୍ରମଣ କରିବା ପୂର୍ବରୁ ହରିୟାଣା ପୋଲିସ ସମ୍ପତଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ସଲମାନ ଖାନଙ୍କୁ ଆକ୍ରମଣ କରିବାର ପୁରା ଯୋଜନା ବିଷୟରେ କହିଥିଲା। ଲରେନ୍ସ ବିଷ୍ଣୋଇଏବଂ ଗୋଲ୍ଡି ବରାର୍ ଗ୍ୟାଙ୍ଗରୁ ଆସିଥିବା ଏକାଧିକ ଧମକକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଘର ବାହାରେ ତିନିଟି ସିଫ୍ଟରେ କାର୍ଯ୍ୟ କରୁଥିବା ପୋଲିସ ଟିମ୍ ନିୟୋଜିତ କରିଛି।
Powered by Froala Editor