ପୁରୁଷବନ୍ଧୁ ନାଁରେ ରାଣୀଙ୍କ ଏତଲା: ‘୮ ବର୍ଷ ଧରି ମୁଁ କଷ୍ଟ ପାଉଛି’

ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଦୀର୍ଘ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଁ ପୁରୁଷ ବନ୍ଧୁ ଏବେ ଅନ୍ୟତ୍ର ବିବାହ କରୁଥିବା ଖବର ପାଇବା ପରେ ଶୁକ୍ରବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରାଣୀ ତାଙ୍କର ପ୍ରେମିକଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମହିଳା ଥାନାରେ ଏତଲା ଦେଇଛନ୍ତି ।
୮ ବର୍ଷ ଏକା ସାଙ୍ଗେ ଲିଭ୍ ଇନରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ କାହ୍ନା। ରାଣୀ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି, ପାଖାପାଖି ୮ ବର୍ଷ ଧରି ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ, ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅଙ୍କ ଭୁଲ କି ମୋର ଭୁଲ ସେମାନେ ହିସାବ କରିବେ। ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।
ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି ବୋଲି ସେ କହିଛନ୍ତି।
Powered by Froala Editor