୭୨ ହଜାର ଟଙ୍କା ଅତିକ୍ରମ କଲା ସୁନା ଦର
ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ମଧ୍ୟପ୍ରାଚ୍ୟ ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ଚାହିଦା ଧାତୁର ଚମକକୁ ବଢାଇ ଚାଲିଛି । କ୍ରମାଗତ ଭାବେ ଏହା ନୂଆ ରେକର୍ଡ ଯୋଡ଼ି ଚାଲିଛି । ସୁନା ୭୨,୦୦୦ ଟଙ୍କା ଅତିକ୍ରମ କରିଛି । ଆଗକୁ ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଥିବାବେଳେ ଚାହିଦା ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଇରାନ-ଇସ୍ରାଏଲ୍ ଯୁଦ୍ଧ ଆଶଙ୍କାରୁ ଦର ଆହୁରି ବଢିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ନିବେଶକ ଉତ୍ସାହିତ ଥିବାବେଳେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଚାହିଦା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୩୮୦ ଟଙ୍କା ବୃଦ୍ଧି ପାଇ ୭୨,୧୧୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୩୫୦ ଟଙ୍କା ବଢି ୬୬,୧୦୦ ଟଙ୍କାରେ ପହଞ୍ଚିଛ। ରୁପା ମଧ୍ୟ ନୂଆ ରେକର୍ଡ ଯୋଡ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୧୦୦୦ ଟଙ୍କା ମହଙ୍ଗା ହୋଇ ୮୯,୦୦୦ ଟଙ୍କା ଛୁଇଁଛି । ଏ ବର୍ଷ ସୁନା ଦର ୮୦,୦୦୦ ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ଚାହିଦା ଏବଂ ମଧ୍ୟପ୍ରାଚ୍ୟ ରାଜନୈତିକ ଅସ୍ଥିରତା ଯୋଗୁ ଏହା ରକେଟ୍ ବେଗରେ ବଢି ଚାଲିଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ପାଖାପାଖି ୯,୦୦୦ ଟଙ୍କା ମହଙ୍ଗା ହୋଇଗଲାଣି ।
ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି । ସୁନା ଦର ବଢିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ·ହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢି ଚାଲିଛି ।
Powered by Froala Editor