ଦୁଷ୍କର୍ମ ପୀଡିତା ଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ମିଳିଲାନି ଅନୁମତି

ଆଜିବି ଯଦି କୌଣସି ଝିଅ ଦୁଷ୍କର୍ମର ଶିକାର ହୁଏ ତେବେ ପରିବାର ଲୋକ ତାକୁ ଲୁଚାଇବାକୁ ଚେଷ୍ଟା କରନ୍ତି । କାରଣ ସମସ୍ତେ ଝିଅଟିକୁ ହିଁ ଘୃଣ୍ୟ ନଜରରେ ଦେଖିଥାନ୍ତି । ଯାହାର ଉଦାହରଣ ରାଜସ୍ଥାନରେ ଦେଖିବାକୁ ମିଳିଛି । ଜଣେ ଦ୍ୱାଦଶ ଶ୍ରେଣୀର ଝିଅଟିଏ ମାମୁଁ ଓ ଅନ୍ୟ ଦୁଇ ଜଣଙ୍କ ଦ୍ୱାର ଦୁଷ୍କର୍ମର ଶିକାର ହୋଇଥିଲେ । ଏଥିପାଇଁ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଇତିମଧ୍ୟରେ ତାଙ୍କୁ ପାଠପଢାରେ ବହୁତ ଖରାପ ସ୍ଥିତିର ସାମ୍ନା କରିବାକୁ ପଡିଛି । ଏମିତିକି ସ୍କୁଲରେ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯାଇଛି ।
ଗତ ବର୍ଷ ଅକ୍ଟୋବରରେ ସେ ତାଙ୍କ ମାମୁଁ ଏବଂ ଅନ୍ୟ ଦୁଇ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ, ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କୁ ଘରେ ରହି ପଢିବାକୁ ପରାମର୍ଶ ଦେଇଥିଲେ, କାରଣ ସେ ସ୍କୁଲକୁ ଆସିବା ଦ୍ୱାରା ପରିବେଶ ନଷ୍ଟ ହୋଇପାରେ ବୋଲି କହିଥିଲେ।
କିନ୍ତୁ ପରୀକ୍ଷା ସମୟରେ ସେ ଯେତେବେଳେ ଆଡମିଟ କାର୍ଡ ଆଣିବାକୁ ଯାଇଥିଲେ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ସେ ଆଉ ସ୍କୁଲରେ ଛାତ୍ରୀ ନୁହଁନ୍ତି ବୋଲି ସ୍କୁଲ୍ କର୍ତ୍ତୃପକ୍ଷ କହିଥିଲେ। ଅନ୍ୟପଟେ, ସ୍କୁଲ୍ କର୍ତ୍ତୃପକ୍ଷ କହିଛନ୍ତି, ସେ ଚାରି ମାସ ହେବ ଶ୍ରେଣୀରେ ଅନୁପସ୍ଥିତ ରହିଥିବାରୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇ ନାହିଁ।
ଛାତ୍ରୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସେ ଦଶମ ଶ୍ରେଣୀରେ ୭୯ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ। ଦ୍ୱାଦଶ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ହେଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇନାହିଁ। ଅଜମେରର ଶିଶୁ କଲ୍ୟାଣ ଆୟୋଗ (CWC) ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
CWC ସଭାପତି ଅଞ୍ଜଳି ଶର୍ମା କହିଛନ୍ତି ଯେ, ସେ ଛାତ୍ରୀଙ୍କ ସହ ପୂରା ଘଟଣା ବିଷୟରେ ଆଲୋଚନା କରିଛନ୍ତି। ତଦନ୍ତ ଚାଲିଛି, କିନ୍ତୁ ବର୍ତ୍ତମାନ ମୁଖ୍ୟ ପ୍ରାଥମିକତା ହେଉଛି କି, ମାର୍ଚ୍ଚରେ ସେ ଦେଇପାରିନଥିବା ବୋର୍ଡ ପରୀକ୍ଷା କିପରି ଦେଇପାରିବେ, ସେଥିପାଇଁ ବ୍ୟବସ୍ଥା କରିବା।
Powered by Froala Editor