କପଡା ଦୋକାନରେ ନିଆଁ ଲାଗି ୭ ମୃତ
![କପଡା ଦୋକାନରେ ନିଆଁ ଲାଗି ୭ ମୃତ](https://odishanewslens.com/news_gallery/29099_1712134992.jpg)
ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୭ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି । ଆଜି ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ସୂଚନା ମିଳିଛି, ଗୋଟିଏ ତିନି ମହଲା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ସେହି କପଡା ଦୋକାନ ଥିଲା । ଉପର ମହଲାରେ ମାଲିକ ଓ କିଛି ଭଡାଟିଆ ରହୁଥିଲେ । କୌଣସି କାରଣରୁ ଦୋକାନରେ ନିଆଁ ଲାଗିଯିବାରୁ ଏହା ଚାରିଆଡକୁ ବ୍ୟାପି ଯାଇଥିଲା । ଉପର ମହଲାରେ ଥିବା ଲୋକମାନେ ତଳକୁ ଆସି ପାରିନଥିଲେ । ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ୩ଟା ସମୟରେ ୩ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ଥିବା କପଡା ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ବିଲ୍ଡିଂରେ ରହୁଥିବା ଲୋକେ ଶୋଇଥିବାରୁ ହଠାତ୍ ନିଆଁ ଭିତରୁ ବାହାରି ପାରିନଥିଲେ । ଯେଉଁ କାରଣରୁ ୨ ଛୋଟ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ସମ୍ପର୍କରେ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଅଗ୍ନିଶମ ବାହାନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।
Powered by Froala Editor