ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ନିଲାମ କରିଦେଇଥିଲେ ବିଜୟ

ଟଲିଉଡ଼ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଫିଲ୍ମ 'ଅର୍ଜୁନ ରେଡ୍ଡୀ' ମାଧ୍ୟମରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚର୍ଚ୍ଚିତ ଫିଲ୍ମରେ ବିଜୟଙ୍କ ଚରିତ୍ରକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମ ପାଇଁ ବିଜୟଙ୍କୁ ଆକ୍ଟିଂ କ୍ୟାରିୟରରେ ପ୍ରଥମ ଥର ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଥିଲା । କିନ୍ତୁ ୨୦୧୮ ମସିହାରେ ସେ ତାଙ୍କର ଏହି ଟ୍ରଫିକୁ ନିଲାମ କରିଥିଲେ । ବର୍ତ୍ତମାନ ଏହା ପଛର କାରଣ ବିଷୟରେ ଖୁଲାସା କରିଛନ୍ତି ବିଜୟ ।
ବିଜୟ କହିଛନ୍ତି, ''ମୁଁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରତି ସେତେ ଆଗ୍ରହୀ ନୁହଁ। କିଛି ବୋଧ ହୁଏ ଅଫିସରେ ଥିବ, ଆଉ କିଛିକୁ ମୋ ମାଆ କେଉଁଠି ରଖିଥିବେ। ମୁଁ କିଛି ଆୱାର୍ଡ଼ ମଧ୍ୟ ଦେଇଦେଇଛି। ଗୋଟିଏ ଆୱାର୍ଡ଼ ମୁଁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ଦେଇଥିଲି।'' ସେ ଏହା ମଧ୍ୟ କହିଛନ୍ତି, ''ମୁଁ ପାଇଥିବା ପ୍ରଥମ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାରକୁ ଆମେ ନିଲାମ କରିଥିଲୁ। ଏଥିରୁ ଆମକୁ ବହୁତ ଟଙ୍କା ମିଳିଥିଲା। ମୁଁ ଭାବୁଛି ମୋ ଘରେ ପଥରର ଏକ ଖଣ୍ଡକୁ ସମ୍ଭାଳି ରଖିବା ଅପେକ୍ଷା ଏହା ମୋ ପାଇଁ ଏକ ଭଲ ସ୍ମୃତି।''
ବିଜୟ କହିଥିଲେ ଯେ ସେ ଏପରି ବ୍ୟକ୍ତି ନୁହଁନ୍ତି ଯିଏ ଫଟୋ ଏବଂ ଆୱାର୍ଡ଼ ସଂଗ୍ରହ କରି ରଖିବ । ନିକଟରେ ମାତା ପିତାଙ୍କ ପୁରୁଣା ଫଟୋ ଦେଖିବା ପରେ ତାଙ୍କ ପିଲାଙ୍କ ସହ ସ୍ମୃତି ସାଉଁଟିବା ପାଇଁ ମନ ବଳାଇଛନ୍ତି । ବିଗତ ୬ ମାସରୁ ସେ କେବଳ ବର୍ତ୍ତମାନରେ ଜୀଇଁବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଏଭଳି କରିବା ପାଇଁ ସେ ଅନ୍ୟମାନଙ୍କୁ ମଧ୍ୟ କହିଛନ୍ତି ।
ବର୍ତ୍ତମାନ ବିଜୟ ଦେବରାକୋଣ୍ଡା ନିଜ ନୂତନ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି । ଖୁବ ଶୀଘ୍ର ସେ ନିର୍ଦ୍ଦେଶକ ପର୍ଶୁରାମ ପେଟଲାଙ୍କ ଫିଲ୍ମ 'ଫ୍ୟାମିଲି ଷ୍ଟାର'ରେ ନଜର ଆସିବେ ।
Powered by Froala Editor