ବିଡ଼ା ବିଡ଼ା ଟଙ୍କା ଥୋଇ ରିଲ୍ସ କଲେ ହୋମଗାର୍ଡ

ଖଟ ଉପରେ ବିଡା ବିଡା ଟଙ୍କା ଥୋଇ ରିଲ୍ସ କରିବା ମହଙ୍ଗା ପଡିଛି ହୋମଗାର୍ଡଙ୍କୁ । ତାଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ। ଏହି ଘଟଣା ହେଉଛି ମଧ୍ୟପ୍ରଦେଶର ଉଜ୍ଜୟିନୀର। ଖଟ ଉପରେ ଟଙ୍କା ଗାଦି ଉପରେ ରିଲ୍ସ ତିଆରି କରୁଥିବା ହୋମଗାର୍ଡ ଜଣକ ହେଉଛନ୍ତି ରବି ଶର୍ମା। ତାଙ୍କ ରିଲ୍ସ ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି। ସେ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଚାଲିଛି ଖୋଲତାଡ।
କୁହାଯାଉଛି ଯେ, ନିକଟରେ ହୋମଗାର୍ଡ ରବି ଶର୍ମା ନିଜର ଘର ବିକ୍ରି କରିଥିଲେ। ସେହି ଟଙ୍କାକୁ ହିଁ ସେ ଖଟ ଉପରେ ସଜାଇ ରିଲ୍ସ ତିଆରି କରିଥିଲେ। ଖଟ ଉପରେ ୨୦୦ ଓ ୫୦୦ ଟଙ୍କିଆ ବଣ୍ଡଲ ବିଛେଇ ବ୍ୟାକ୍ଗ୍ରାଉଣ୍ଡରେ 'କ୍ୟା ହୋତା ପେସେ କା.. ପେସେ କି ଲଗା ଦୁଁ ଢ଼େରୀ' ଗୀତ ବଜାଉଥିଲେ । ଆଉ ଟଙ୍କା ଗାଦି ଉପରେ ଆରାମରେ ଶୋଇ ଇନ୍ଷ୍ଟା ରିଲ୍ସ କରୁଥିଲେ। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍କୁ ଆସିଛି ପୁଲିସ।
ସେପଟେ ଡିଷ୍ଟ୍ରିକ୍ଟ ହୋମଗାର୍ଡ କମାଣ୍ଡେଣ୍ଟ ରବିଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ବର୍ତ୍ତମାନ ପୁଲିସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଆଡିସନାଲ ଏସ୍ପି ଘଟଣାର ତଦନ୍ତ ଜାରି ରଖିଛନ୍ତି।
Powered by Froala Editor